କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି : ରାଜ୍ୟର ଓମଫେଡ୍ ଦୁଗ୍ଧ ଚାଷୀଙ୍କୁ ଋଣ ଦେବା ପାଇଁ କଲେ ଅନୁରୋଧ; କିଷାନ କ୍ରେଡିଟ୍ କାର୍ଡରେ ୩ଲକ୍ଷ ଟଙ୍କା ଋଣ ଦେବାକୁ ଅନୁରୋଧ

117

• କୌଣସି ବ୍ୟାଙ୍କ୍ ଋଣ ଦେବାକୁ ଇଚ୍ଛା ପ୍ରକାଶ କରୁନଥିବା ଅଭିଯୋଗ
• ମାମଲାରେ ହସ୍ତକ୍ଷେପ କରି ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିବେଦନ

କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ଓଡିଶାର ଓମଫେଡ୍ ଦୁଗ୍ଧ ଚାଷୀଙ୍କ ପାଇଁ କିଷାନ କ୍ରେଡିଟ୍ କାର୍ଡ(କେସିସି) ମାଧ୍ୟମରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବା ପାଇଁ ଅନୁରୋଧ କରିଛନ୍ତି । ଏହି ମାମଲାରେ ବ୍ୟକ୍ତିଗତ ହସ୍ତକ୍ଷେପ କରି ଚାଷୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଜଗତସଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ଖଣ୍ଡାସାହି ଗ୍ରାମର ଦୁଗ୍ଧ ଚାଷୀ ଧ୍ରୁବ ଚରଣ ପରିଡାଙ୍କ ଏକ ଅଭିଯୋଗ ପତ୍ରକୁ ସଲଗ୍ନ କରି ଉଲ୍ଲେଖ କରିଛନ୍ତି । ବ୍ୟାଙ୍କ୍ ମାଧ୍ୟମରେ ଓମଫେଡ୍ ଦୁଗ୍ଧ ଚାଷୀ ମାନଙ୍କୁ କିଷାନ କ୍ରେଡିଟ୍ କାର୍ଡରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଥିବା ବ୍ୟବସ୍ଥା ଥିଲେ ମଧ୍ୟ କୌଣସି ବ୍ୟାଙ୍କ୍ ଋଣ ଦେବାକୁ ଇଚ୍ଛା ପ୍ରକାଶ କରୁନଥିବା ଅଭିଯୋଗ ହେଉଛି । ତେଣୁ ଏହି ମାମଲାରେ ବ୍ୟକ୍ତିଗତ ସ୍ତରରେ ହସ୍ତକ୍ଷେପ କରି ଉପଯୁକ୍ତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ପ୍ରଧାନ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

ଉଲ୍ଲେଖନୀୟ ଯେ, ଧ୍ରୁବଚରଣ ପରିଡା ନାମ୍ନୀ ଜଣକ ଦୁଗ୍ଧ ଚାଷୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲେଖିଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପତ୍ର ନମ୍ବର(ଏମ୦୧୦୦୭୧୫୧୨୦୨୦), ତା-୨୭.୦୭.୨୦୨୦ରେ ବ୍ୟାଙ୍କ ଜରିଆରେ ଓମଫେଡ୍ ଦୁଗ୍ଧ ଚାଷୀଙ୍କୁ ୩ ଲକ୍ଷ ଟଙ୍କାର କିଷାନ କ୍ରେଡିଟ୍ କାର୍ଡ୍ ଦେବାକୁ ନିର୍ଦ୍ଦେଶ ହୋଇଛି । କିନ୍ତୁ ବ୍ୟାଙ୍କମାନେ ଋଣ ଦେବା ପାଇଁ ଇଚ୍ଛାପ୍ରକାଶ କରୁନାହାନ୍ତି । ଯେଉଁ କାରଣରୁ ଓମଫେଡ୍ ଚାଷୀମାନେ କୋଭିଡ୍-୧୯ ସମୟରେ ହଇରାଣ ହେଉଛନ୍ତି । ଏହା ଋଣ ବ୍ୟବସ୍ଥା ହୋଇପାରିଲେ ଜଗତସିଂହପୁରର ଅନେକ ଓମଫେଡ୍ ଦୁଗ୍ଧ ଚାଷୀ ଉପକୃତ ହୋଇପାରିବେ ।