କୋଟିଆକୁ ନେଇ ସମସ୍ତେ କାନ୍ଦିଲେ । ଓଡ଼ିଶା ସୀମାନ୍ତ କୋଟିଆ ଗାଁରେ ପହଂଚିଲେ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ଓଡ଼ିଶାକୁ ନେଇ ପାରିବେନି କେହି

34

କନକ ବ୍ୟୁରୋ: କୋଟିଆ ପାଇଁ ସମସ୍ତେ କାନ୍ଦିଲେ । ରାଜ୍ୟ ସରକାର ଓଡିଶାର ଏହି ସୀମାନ୍ତ ଗାଁ ପାଇଁ ୧୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବା ପରେ ଆଜି କୋଟିଆ ଗାଁରେ ପହଁଚିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, କୋଟିଆର ବିକାଶ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦାୟିତ୍ୱ । ଆଉ କୋଟିଆକୁ କେହି ଓଡିଶାରୁ ଛଡାଇନେଇପାରିବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ବର୍ଷ ବର୍ଷ ଧରି ଯେଉଁଠି ପ୍ରଶାସନ କିମ୍ବା ସରକାରୀ ଅଧିକାରୀଙ୍କ ପାଦ ପଡୁନଥିଲା ଆଜି ସେହି ଅଂଚଳ ପାଇଁ ନେତାଙ୍କ ଦରଦ । ଓଡିଶା ମାନଚିତ୍ରରୁ ହଜିବାକୁ ବସିଥିବା ବଣ ପାହାଡ ଘେରା କୋଟିଆ ପାଇଁ ବାହାରିଲେ ରାଜ୍ୟ ସରକାର ଓ କେନ୍ଦ୍ରମନ୍ତ୍ରୀ ।

କୋରାପୁଟର କୋଟିଆ । ଓଡିଶାର ଏହି ବିବାଦୀୟ ଅଂଚଳକୁ ନେଇ ୪ ମାସ ହେଲା ଚର୍ଚା ଲାଗି ରହିଛି । ଭିତିଭୂମି ବିକାଶ ଓ ସ୍ଥାନୀୟ ଲୋକଙ୍କ ସମସ୍ୟା ସମାଧାନ ଆଳରେ କୋଟିଆରେ ଧଶେଇ ପସିଥିଲା ଆନ୍ଧ୍ର । ଏହାପରେ ଓଡିଶାର ନିଦ ଭାଂଗିଥିଲା । କୋଟିଆର ବିକାଶ ପାଇଁ ଦିନକ ତଳେ ରାଜ୍ୟ ସରକାର ୧୫୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ । ଲୋକଙ୍କ ପାଖରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି ମୌଳିକ ଆବଶ୍ୟକତା ପହଂଚାଇବାକୁ ୩ ବର୍ଷ ଲକ୍ଷ୍ୟ ସ୍ଥିର କରିଥିଲେ । ଆଉ ଏବେ ଏହି ପ୍ରସଙ୍ଗ ନେଇ କୋଟିଆରେ ପହଁଚିଛନ୍ତି କେନ୍ଦ୍ରମନ୍ତ୍ରୀ ।

ତେବେ କୋଟିଆକୁ ନେଇ ରାଜନୀତି ଭିତରେ କୁନ୍ଦୁଲିରେ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାର ଏଭଳି ସମ୍ବେଦନଶୀଳ ଘଟଣାକୁ ଅଣଦେଖା କରିବା ସହ ପୀଡିତା ପରିବାରକୁ ନ୍ୟାୟ ଦେଇପାରିବେ ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ଏଥିସହ ଘଟଣାର ସିବିଆଇ ଯାଂଚ୍ ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।