ଦିଲ୍ଲୀରେ ହଜଖାସ୍ ସ୍ଥିତ ଜଗନ୍ନାଥ ମନ୍ଦିରରେ ରଥାରୂଢ ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭିଡିଓ ବାର୍ତ୍ତା ଜରିଆରେ ଜଣାଇଲେ ଶୁଭକାମନା । 

121

କନକ ବ୍ୟୁରୋ: ପବିତ୍ର ରଥଯାତ୍ରା ଉପଲକ୍ଷେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଦିଲ୍ଲୀର ହଜଖାସ୍ ସ୍ଥିତ ଜଗନ୍ନାଥ ମନ୍ଦିରରେ ପରିବାର ସଦସ୍ୟଙ୍କ ସହ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏହି ସମୟରେ ସେ ପୂଜାର୍ଚ୍ଚନା କରି ନିଜକୁ କୃତାର୍ଥ ମଣିବା ସହ ଭିଡ଼ିଓ ବାର୍ତ୍ତା ଜରିଆରେ ୧୩୦ କୋଟି ଭାରତୀୟ ଏବଂ ସାଢେ ୪ କୋଟି ଓଡିଆ ତଥା ବିଶ୍ୱର ଅଗଣିତ ଭକ୍ତଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ଶୁଭକାମନା ଜଣାଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ମହାପ୍ରଭୁ ସମଗ୍ର ମାନବଜାତିକୁ ସୁସ୍ଥ, ସୁରକ୍ଷିତ ଓ ଖୁସିରେ ରଖନ୍ତୁ । ରଥଯାତ୍ରା କେବଳ ଗୋଟିଏ ଉତ୍ସବ ନୁହେଁ ବରଂ ଓଡ଼ିଆଙ୍କ ଭାବାବେଗର ଅବିଚ୍ଛେଦ୍ୟ ଅଙ୍ଗ । ବଡ ଦେଉଳର ରତ୍ନ ସିଂହାସନକୁ ଛାଡି ବଡଦାଣ୍ଡକୁ ବାହାରି ଆସି ଲକ୍ଷ ଲକ୍ଷ ଭକ୍ତଙ୍କ ସହିତ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ସହ ଏକାକାର ହେବାର ଅନନ୍ୟ ଯାତ୍ରା ହେଉଛି ପବିତ୍ର ରଥଯାତ୍ରା । କୋଭିଡ୍ ମହାମାରୀ କାରଣରୁ ଆମ ରାଜ୍ୟର ପୁରୀ ବ୍ୟତିତ ଅନ୍ୟ କେଉଁ ଠାରେ ମନ୍ଦିର ବାହାରେ ରଥଯାତ୍ରା ଅନୁଷ୍ଠିତ ହେଉନାହିଁ  ।

ଭକ୍ତଶୂନ୍ୟ ରଥଯାତ୍ରାରେ ମଧ୍ୟ ଅଗଣିତ ଭକ୍ତ ଟିଭି ଓ ଇଣ୍ଟରନେଟ୍ ମାଧ୍ୟମରେ ମହାପ୍ରଭୁଙ୍କ ଦର୍ଶନ କରି ଆତ୍ମସନ୍ତୋଷ ପାଉଛନ୍ତି । ୧୩୦ କୋଟି ଭାରତୀୟ, ସାଢେ ୪ କୋଟି ଓଡିଆ ତଥା ବିଶ୍ୱର ଅଗଣିତ ଭକ୍ତଙ୍କ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ଅଛି ଓ ଆଗକୁ ମଧ୍ୟ ରହିବ । ଏହି ପବିତ୍ର ଅବସରରେ ଓଡିଆ ଜାତିର ଇଷ୍ଟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଡ ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରା ଆମ ରାଜ୍ୟ, ଦେଶ ଓ ସାରା ବିଶ୍ୱବାସୀଙ୍କ ଉପରେ ଆଶୀର୍ବାଦର ବର୍ଷା କରନ୍ତୁ ଏବଂ ମହାପ୍ରଭୁ ସମଗ୍ର ମାନବଜାତିକୁ ସୁସ୍ଥ, ସୁରକ୍ଷିତ ଓ ଖୁସିରେ ରଖନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମହାପ୍ରଭୁଙ୍କ ପାଖରେ କାମନା କରିଛନ୍ତି ।