ମୂର୍ତ୍ତି ଉଚ୍ଚତା ବିବାଦ : ଆପୋଷ ବୁଝାମଣା ପାଇଁ ପରାମର୍ଶ ଦେଲେ ଧର୍ମେନ୍ଦ୍ର ପ୍ରଧାନ । ପଢନ୍ତୁ, କ’ଣ କହିଲେ କେନ୍ଦ୍ରମନ୍ତ୍ରୀ?

212

କନକ ବ୍ୟୁରୋ: ଦୁର୍ଗାପୂୂଜାରେ ମୂର୍ତ୍ତି ଉଚ୍ଚତା ବିବାଦ ଏବେ ସାରା ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଛି । ରାଜ୍ୟ ସରକାର ୪ ଫୁଟ୍ ଭିତରେ ମୂର୍ତ୍ତିର ଉଚ୍ଚତା ରଖିବାକୁୁ କଟକଣା ଜାରି କରିଥିବାବେଳେ କଟକ ସହରର ପୂଜା କମିଟି କିନ୍ତୁ ଏହି କଟକଣା ମାନିବାକୁ ନାରାଜ । ଯାହାକୁ ନେଇ ପୂଜା କମିଟି ଏବଂ ପ୍ରଶାସନ ଭିତରେ ଏବେ ବିବାଦ ଦେଖିବାକୁ ମିଳିଛି । ତେବେ ଏହି ଘଟଣାରେ ଏବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍ କରି ନିଜର ପ୍ରତିକ୍ରିୟା ରଖିଛନ୍ତି ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଟୁଇଟ୍ କରି ଲେଖିଛନ୍ତି , ଓଡିଶାର ଐତିହାସିକ ସହର କଟକରେ ପୂଜା ପାର୍ବଣର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ହେଲେ କିଛି ଦିନ ପୂର୍ବରୁ ଦୁର୍ଗା ପୂଜା ପାଳନ ନେଇ ଏକ ବିବାଦ ମୁଣ୍ଡ ଟେକିଛି । ମୂର୍ତ୍ତିର ଉଚ୍ଚତା ଓ ପୂଜାର ରୀତିନୀତି ନେଇ ଚର୍ଚ୍ଚା, ଆଲୋଚନା ଜାରି ରହିଛି । ତେଣୁ ରାଜ୍ୟ ସରକାର ଏହାକୁ ଗୁରୁତର ସହ ନେଇ ଏହି ପ୍ରସଙ୍ଗରେ ପୁନର୍ବାର ଆଲୋଚନା କରିବେ ବୋଲି କେନ୍ଦ୍ରମନ୍ତ୍ରୀ ଆଶା ରଖିଥିବା ଟୁଇଟ୍ କରି ଲେଖିଛନ୍ତି ।

ଖାଲି ସେତିକି ନୁହେଁ, କୋଭିଡ ମହାମାରୀର ପ୍ରକୋପ କିଛି ମାତ୍ରାରେ କମିଛି । କୋଭିଡ୍ ନିୟମକୁ ପାଳନ କରି କିଭଳି କଟକରେ ମାଆଙ୍କ ପୂଜାର୍ଚ୍ଚନା ହୋଇପାରିବ, ତାକୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରାଯିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସୂଚନାଯୋଗ୍ୟ ଯେ, ସଂକ୍ରମଣ ଭୟରେ ରାଜ୍ୟ ସରକାର ଚଳିତ ବର୍ଷ ପାର୍ବଣ ଋତୁ ପାଇଁ ଗାଇଡଲାଇନ୍ ଧାର୍ଯ୍ୟ କରିଛନ୍ତି । ଯେଉଁଥିରେ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ଭିତରେ ରହିବ ବୋଲି ନିୟମ ହୋଇଛି । ହେଲେ ଏହାକୁ କଟକ ସହରର ପୂଜା କମିଟି ବିରୋଧ କରିଛନ୍ତି । ମୂର୍ତ୍ତିର ଉଚ୍ଚତା ବଢାଇବାକୁ ସେମାନେ ଦାବି କରିବା ସହିତ କଟକଣା କୋହଳ କରିବାକୁ କହିଛନ୍ତି ।