କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ତେରେଛା ବାଣ । ସ୍ୱାସ୍ଥ୍ୟ ଓ କୃଷି ମନ୍ତ୍ରୀଙ୍କୁ କଲେ ଟାର୍ଗେଟ । ପଢନ୍ତୁ, କଣ କହିଲେ କେନ୍ଦ୍ରମନ୍ତ୍ରୀ?

148

କନକ ବ୍ୟୁରୋ: ପଦ୍ମପୁର ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ଆକ୍ରମଣାତ୍ମକ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇନପୁଟ ସବସିଡି, ରେଳ ପ୍ରକଳ୍ପ, ଦାଦନ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ଓ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଟାର୍ଗେଟ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି, ପଦ୍ମପୁରରେ ସ୍ୱାସ୍ଥ୍ୟମନ୍ତ୍ରୀ ଟଙ୍କା ମୁଣି ଧରି ବୁଲୁଛନ୍ତି । ଲୋକଙ୍କ ଚିକିତ୍ସା ପାଇଁ ତାଙ୍କର ଦାୟିତ୍ୱ ନାହିଁ?

ସେହିପରି ଇନପୁଟ ସବସିଡି ପ୍ରସଙ୍ଗରେ ନାଁ ନନେଇ କୃଷିମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଧର୍ମେନ୍ଦ୍ର । ଜିଲ୍ଲାପାଳ ରିପୋର୍ଟ ଦେବା ପରେ ଇନପୁଟ ସବସିଡି କେତେ ଚାଷୀଙ୍କୁ ଦେଇଛ? କେବେ ମରୁଡି ଘୋଷଣା କରାଗଲା? ବୋଲି ପ୍ରଶ୍ନ କରିଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀଙ୍କୁ ଜବାବ ଦେଇଛି ବିଜେଡି ।

  • କେନ୍ଦ୍ରମନ୍ତ୍ରୀଙ୍କ ନିର୍ବାଚନ ରଣନୀତି
  • ପଦ୍ମପୁର ପାଇଁ ୪ ବଡ ପ୍ରସଙ୍ଗ

ରାଜ୍ୟରେ ୨୨ ବର୍ଷ ହେଲା ଆଞ୍ଚଳିକ ଦଳର ଶାସନ ଚାଲିଛି, ହେଲେ ଲୋକଙ୍କୁ ଲମ୍ବା ସମୟ ଧରି ଭ୍ରମିତ କରି ରଖାଯାଇ ପାରିବ ନାହିଁ । ଏଥର ସ୍ଥାନୀୟ ସମସ୍ୟାକୁ ନେଇ ବିଜେପି ଲୋକଙ୍କ ପାଖକୁ ଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

  • ବରଗଡରେ ଧାନ କିଣା ଏକ ବଡ ପ୍ରସଙ୍ଗ
  • ଫସଲ ବୀମା ପ୍ରତି ସରକାରଙ୍କ ଅପାରଗତା
  • ଇନପୁଟ ସବସିଡି ଦିଆଯାଇ ପାରି ନାହିଁ

ଯୁବକମାନେ ଦାଦନ ଖଟିବାକୁ ଯାଉଛନ୍ତି । ଏସବୁକୁ ପଦ୍ମପୁରରେ ବିଜେପି ବଡ ପ୍ରସଙ୍ଗ କରିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ତେବେ ପ୍ରେସରିଲିଜ ଜାରି କରି ଚାଷୀ ପ୍ରସଙ୍ଗରେ କେନ୍ଦ୍ରକୁ ଘେରିଛି ବିଜେଡି । ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ କହି ଠକିଛନ୍ତି କେନ୍ଦ୍ର ସରକାର । ଓଡିଶାର ଚାଷୀଙ୍କୁ ଠିକ ସମୟରେ ସାର ଯୋଗାଇ ଦେବା ନେଇ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି କୁଆଡେ ଗଲା? ବୋଲି ପ୍ରଶ୍ନ କରିଛି ବିଜେଡି ।