କନକ ବ୍ୟୁରୋ: ମାହାଙ୍ଗା ହତ୍ୟାକାଣ୍ଡ ଘଟଣାକୁ ନେଇ ଥମୁନି ରାଜନୀତି । ମାହାଙ୍ଗାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ କି, ଏହି ହତ୍ୟାକାଣ୍ଡ ବିଷୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବଗତ କରାଇଛି । ନାଁ ନନେଇ ମାହାଙ୍ଗା କାର୍ଯ୍ୟକ୍ରମରେ ପ୍ରତାପ ଜେନାଙ୍କ ଉପରେ ବର୍ଷିଲେ ଧର୍ମେନ୍ଦ୍ର । କହିଲେ, ମାହାଙ୍ଗାକୁ ଦୁର୍ନୀତିର ପ୍ରୟୋଗଶାଳା କରିବାକୁ ଉଦ୍ୟମ କରାଯାଉଛି । ବୁଦ୍ଧିଜୀବି ସମ୍ମିଳନୀ କରି କୁଶପୁତ୍ତଳିକା ଦାହ କରୁଛନ୍ତି ।
ସେହିପରି ଉଦାହରଣ ନେଇ କହିଲେ, ରାବଣର ଅହଙ୍କାର ବି ଭାଙ୍ଗିଯାଇଥିଲା, ଆପଣଙ୍କ ଅହଙ୍କାର ଆପଣଙ୍କ ଘରେ ଥାଉ । ନିଜ ଅଞ୍ଚଳରେ ଏମିତି ବ୍ୟଭିଚାର, ଦୁର୍ନୀତି ହତ୍ୟାକାଣ୍ଡ ଘଟୁଛି ନିଆଁ ନଥାଇ କେମିତି ଧୂଆଁ ଉଠୁଛି ବୋଲି ପ୍ରଶ୍ନ କଲେ ଧର୍ମେନ୍ଦ୍ର । ବିକାଶ ଜେନାଙ୍କ କିଏ ହତ୍ୟା କରିଥିଲା? ୨୦୧୪ରେ କଲେଜ ଛାତ୍ର ଦିପ୍ତିକାନ୍ତ ସାହୁର ହତ୍ୟା ହେଲା, କିନ୍ତୁ ପରିବାର ଲୋକ ଯାହାଙ୍କ ବିରୋଧରେ ଅଭିଯୋଗ ଆଣିଲେ ସିଏ ଖଲାସ୍ ହୋଇଗଲା, କାହା ଇସାରାରେ ଏଗୁଡ଼ିକ ହେଉଛି? କିଛିଦିନ ପୂର୍ବେ ମନ୍ତ୍ରୀ କହିଲେ, ପାରିବାରିକ କଳହ କାରଣରୁ କୁଳମଣି ବରାଳର ହତ୍ୟା ହୋଇଛି କିନ୍ତୁ ଗିରଫ ଅଭିଯୁକ୍ତ କହୁଛି ରାଜନୀତିକ ଉଦ୍ଦେଶ୍ୟରେ ହତ୍ୟା ହୋଇଛି । ପୁଲିସ କ’ଣ କରୁଛି? ଆଇନଶୃଙ୍ଖଳା ପରିସ୍ଥିତି ପୂରା ବିଗିଡ଼ି ଗଲାଣି, ଦୁଃଶାସନ କରିବାକୁ ଚେଷ୍ଟା ଚଳାଇଛନ୍ତି କିଛି କ୍ଷମତା ଲୋଭି ଲୋକ ।
Follow Us