ଲୋକସଭାରେ ନୂଆ ଶିକ୍ଷାନୀତି ସମ୍ପର୍କରେ ଉତ୍ତର ରଖିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । କହିଲେ , ନୂଆ ଶିକ୍ଷାନୀତିରେ ଗବେଷଣା ପାଇଁ ଆଗାମୀ ୫ ବର୍ଷରେ ଖର୍ଚ୍ଚ ହେବ ୫୦ ହଜାର କୋଟି ।

199

କନକ ବ୍ୟୁରୋ: ଭାରତ ସରକାର ଦେଶରେ ଗବେଷଣା ପରିସଂସ୍ଥାନକୁ ଅଧିକ କ୍ରିୟାଶୀଳ ଏବଂ ସୁଦୃଢ଼ କରିବା ପାଇଁ ନୂଆ ଜାତୀୟ ଶିକ୍ଷା ନୀତି ଘୋଷଣା କରିଛନ୍ତି । ଏହା ଅନ୍ତର୍ଗତ ରାଷ୍ଟ୍ରୀୟ ଗବେଷଣା ଅନୁଷ୍ଠାନ (ଏନଆରଏଫ) ଗଠନ କରିବା ସହ ଆଗାମୀ ୫ ବର୍ଷ ମଧ୍ୟରେ ୫୦ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବାର ଯୋଜନା ରଖିଛନ୍ତି ବୋଲି ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଦେଶରେ ଗବେଷଣା ପରିସଂସ୍ଥାନକୁ ଅଧିକ କ୍ରିୟାଶୀଳ ଏବଂ ସୁଦୃଢ଼ କରିବା ପାଇଁ ସରକାର ଏକ ରାଷ୍ଟ୍ରୀୟ ଗବେଷଣା ଅନୁଷ୍ଠାନ ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏନଆରଏଫ ଏପରି ଏକ ଅଭିନବ ସଂରଚନା ପ୍ରସ୍ତୁତ କରିବ, ଯାହା ଗବେଷଣା ଏବଂ ବିକାଶ ଶିକ୍ଷାନୁଷ୍ଠାନ ଏବଂ ଶିଳ୍ପ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବ । ଆଗାମୀ ୫ ବର୍ଷ ମଧ୍ୟରେ ରାଷ୍ଟ୍ରୀୟ ଅନୁସନ୍ଧାନ ଫାଉଣ୍ଡେସନ ବା ଏନଆରଏଫରେ ୫୦ ହଜାର କୋଟି ଟଙ୍କା ବ୍ୟୟର ପ୍ରସ୍ତାବ ହୋଇଛି । ଏନଆରଏଫର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିକ୍ଷାନୁଷ୍ଠାନ ବିଶେଷ ଭାବରେ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଗବେଷଣାକୁ ପ୍ରୋତ୍ସାହନ ଦେବା ସହ ସାମଗ୍ରିକ ଗବେଷଣା ବ୍ୟବସ୍ଥାକୁ ଅଧିକ ସଦୃଢ଼ କରିବ । ଏନଆରଏଫ ପ୍ରାସଙ୍ଗିକ ମନ୍ତ୍ରଣାଳୟ, ବିଭାଗ ଏବଂ ସରକାରୀ ତଥା ଅଣସରକାରୀ ସଂସ୍ଥା ବିଶେଷ ଭାବରେ ଉଦ୍ୟୋଗ ସହ ମିଳିତ ଭାବେ ଅଧିକ ପ୍ରଭାବୀ, ବୃହତ ଆକାରର ଏକାଧିକ ଗବେଷକ, ଏକାଧିକ ଅନୁଷ୍ଠାନ, ଅନ୍ତଃବିଷୟ ଗବେଷଣାକୁ ଅନୁଦାନ ଦେବା ସହ ସହଯୋଗ କରିବ ।

ଦୀର୍ଘ ୩୪ ବର୍ଷ ପରେ ୨୯ ଜୁଲାଇ ୨୦୨୦ରେ ଭାରତ ସରକାର ଜାତୀୟ ଶିକ୍ଷା ନୀତି,୨୦୨୦ ଘୋଷଣା କଲେ । ଶିକ୍ଷା କ୍ଷେତ୍ରରେ ଏକ ପରିବର୍ତ୍ତନ ଆଣିବା ଏହାର ଲକ୍ଷ୍ୟ ଥିଲା । ଏହାର ପ୍ରମୁଖ ଉଦ୍ଦେଶ୍ୟ ଥିଲା ଶିକ୍ଷା କ୍ଷେତ୍ରରେ ଆଞ୍ଚଳିକ ଭାଷାକୁ ଅଗ୍ରାଧିକାର ଦେଇ ଏହାର ବ୍ୟବହାର କରିବା । ଏହି ପରିପ୍ରେକ୍ଷୀରେ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ମେଡ଼ିକାଲ ପ୍ରବେଶିକା ପାଇଁ ଅନୁଷ୍ଠିତ ନିଟ୍ ପରୀକ୍ଷା ୧୧ଟି ଭାଷାରେ ହେଉଥିବା ବେଳେ ଏବେ ଛାତ୍ରଛାତ୍ରୀମାନେ ୧୩ଟି ଭାଷାରେ ପରୀକ୍ଷା ଦେବେ । ପୂର୍ବରୁ ୩ଟି ଭାଷାରେ ଅନୁଷ୍ଠିତ ହେଉଥିବା ଜେଇଇ(ମେନ୍) ପରୀକ୍ଷା ବର୍ତ୍ତମାନ ୧୩ଟି ଭାଷାରେ କରାଯିବ ।

ଅନୁରୂପ ଭାବରେ ୨୦୨୧-୨୨ ଶିକ୍ଷା ବର୍ଷରେ ଏଆଇସିଟିଇ ସ୍ୱୀକୃତି ପ୍ରାପ୍ତ ଅନୁଷ୍ଠାନ ଗୁଡ଼ିକରେ ପରୀକ୍ଷାମୂଳକ ଭାବରେ ୮ଟି ଆଞ୍ଚଳିକ ଭାଷାରେ ବୈଷୟିକ ଶିକ୍ଷା ପ୍ରଦାନ କରାଯିବ । ସ୍ୱୟମ୍ ପ୍ଲାଟଫର୍ମ ମାଧ୍ୟମରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ପାଇଁ ଆଞ୍ଚଳିକ ଭାଷାରେ ଅନୁବାଦିତ ବିଷୟବସ୍ତୁ ପ୍ରସ୍ତୁତ କରାଯିବ । ଏହା ବିଜ୍ଞାନ, ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତିବିଦ୍ୟା, ମାନବିକ ଓ ସମାଜିକ ବିଜ୍ଞାନ, ଆଇନ, ମ୍ୟାନେଜମେଣ୍ଟ ଭଳି ବିଷୟରେ ଏହି ପ୍ଲାଟଫର୍ମ ଅନଲାଇନ ପାଠ୍ୟକ୍ରମ ପ୍ରଦାନ କରିଆସୁଛି । ସେହିପରି ଆଞ୍ଚଳିକ ଭାଷାରେ ଶିକ୍ଷାଦାନ କରିବା ପାଇଁ ଇଚ୍ଛୁକ ଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକ ପାଇଁ ଏଆଇସିଟିଇ ହ୍ୟାଣ୍ଡବୁକ୍ ପ୍ରସ୍ତୁତ କରାଯାଇଛି ।

“ଏଆଇସିଟିଇ ଟ୍ରାନ୍ସଲେସନ ଅଟୋମେସନ ଆଟିଫିସେଲ ଇଣ୍ଟେଲିଜେନ୍ସ ଟୁଲ୍” ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଇଂରାଜୀ ଭାଷାର ଅନଲାଇନ ପାଠ୍ୟକ୍ରମକୁ ସ୍ଥାନୀୟ ଭାଷା ଯଥା ହିନ୍ଦୀ, ବଙ୍ଗାଳୀ, ମରାଠୀ, ତେଲୁଗୁ, ତାମିଲ, ଗୁଜୁରାଟୀ, କନ୍ନଡ଼, ମାଲାୟାଲାମ, ପଞ୍ଜାବୀ, ଆସାମୀ, ଓଡ଼ିଆ ଭାଷାରେ ଅନୁବାଦ କରୁଛି । ହରିୟାଣା ସରକାର ଏବଂ ଏଆଇସିଟିଇ ମଧ୍ୟରେ ହିନ୍ଦୀରେ ୧ ହଜାର ପୁସ୍ତକ ପ୍ରକାଶ କରିବା ପାଇଁ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଛି । ପ୍ରଥମ ବର୍ଷର ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଷ୍ଟୁଡେଣ୍ଟ ଇଣ୍ଡକ୍ସନ ପ୍ରୋଗ୍ରାମ(ଏସଆଇପି)କୁ ଆଞ୍ଚଳିକ ଭାଷାରେ ଉପଲବ୍ଧ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।