କନକ ବ୍ୟୁରୋ: ବିଶ୍ୱ ପ୍ରସିଦ୍ଧ ଜଗନ୍ନାଥ ଧାମ ପୁରୀର ନାମ ପରିବର୍ତ୍ତନ କରିବାକୁ ଦାବି । ପୁରୀ ନାଁକୁ ବଦଳାଇ ଜଗନ୍ନାଥଧାମ ପୁରୀ କିମ୍ବା ଜଗନ୍ନାଥ ପୁରୀ କରିବାକୁ ଦାବି ହେଉଛି । ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଏନେଇ ଦାବିପତ୍ର ଦିଆଯାଇଛି । ଏପରିକି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସେବାୟତ ପ୍ରତିନିଧିମାନେ ମଧ୍ୟ ଏଭଳି ଦାବି ଉଠାଇ ସାରିଛନ୍ତି । ଆଉ ଏହାପରେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୁରୀର ନାମ ପରିବର୍ତନ କରି ଜଗନ୍ନାଥ ଧାମ ପୁରୀ କଲେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି । ଏଥିସହ କେନ୍ଦ୍ର ସରକାରଙ୍କ ସହ ଏନେଇ ଆଲୋଚନା କରିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
ସେପଟେ ପୁରୀର ନାଁକୁ ପରିବର୍ତନ କରିବା ପାଇଁ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିବା କହିଛନ୍ତି ଶ୍ରୀକ୍ଷେତ୍ର ସୂଚନା ଆବାହକ ରାଜେଶ ମହାନ୍ତି । ତେବେ ନଜର ପକାନ୍ତୁ, ପୁରୀ ନାଁ ପରିବର୍ତ୍ତନ ପାଇଁ ରହିଥିବା ପ୍ରସ୍ତାବ...
- ୧୯୭୭ ଗେଜେଟିୟରରେ ପ୍ରକାଶିତ ଐତିହାସିକ ତଥ୍ୟକୁ ଭିତ୍ତି କରି ପୁରୀର ନାଁକୁ ପରିବର୍ତନ ପାଇଁ ପ୍ରସ୍ତାବ ଦିଆଯାଇଛି
- ୧୮୨୮ ଅକ୍ଟୋବର ୨୩ରେ ଓଡିଶା ଭୂଖଣ୍ଡକୁ ୩ଟି ଜିଲ୍ଲା ବାଲେଶ୍ୱର, କଟକ ଓ ଜଗନ୍ନାଥରେ ଭାଗ କରାଯାଇଥିଲା
- ପରବର୍ତ୍ତୀ ସମୟରେ ନୀଳମଣି ସେନାପତିଙ୍କ ଦ୍ୱାରା ପ୍ରକାଶିତ ଜିଲ୍ଲା ଗେଜେଟିୟରରେ ଏହାକୁ ପୁରୀ ଭାବେ ଉଲ୍ଲେଖ କରାଯାଇଛି
ସାରା ବିଶ୍ୱରେ ପୁରୀକୁ ଜଗନ୍ନାଥ ପୁରୀ ନାମରେ ହିଁ ଜାଣନ୍ତି । ତେଣୁ ପୁରୀର ନାମ ବଦଳାଇବାର କିଛି ଆବଶ୍ୟକତା ରହିଛି କି ବୋଲି ପ୍ରଶ୍ନ କରିଛନ୍ତି ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ଜଗଦଗୁରୁ ଶଙ୍କରାଚାର୍ଯ୍ୟ । ତେବେ ବିଭିନ୍ନ ସଂଗଠନ ପକ୍ଷରୁ ହେଉଥିବା ଦାବି ଏବଂ ଏହାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ଏବେ ପ୍ରଶ୍ନ ଉଠୁଛି- ବଦଳି ଯିବ କି ପୁରୀର ନାଁ? କାରଣ ମାଡ୍ରାସରୁ ଚେନ୍ନାଇ, ଆହ୍ଲାବାଦରୁ ପ୍ରୟାଗରାଜ, ବନାରସରୁ ବାରଣାସୀ ହୋଇସାରିଛି । ତେଣୁ ପୁରୀର ନାଁ ବଦଳାଇ ଜଗନ୍ନାଥ ଧାମ ପୁରୀ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସମ୍ମତି ଜଣାଇବେ କି?