ଓଡିଶାରେ ୪୬ଟି ସାଗରମାଳା ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୫୭ ହଜାର ୩୭୯ କୋଟି ବ୍ୟୟରେ କାର୍ଯ୍ୟକାରୀ ହେଉଛି ଏହି ପ୍ରକଳ୍ପ

90

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶନିବାର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ପାରାଦୀପ ବନ୍ଦରର ଅଧ୍ୟକ୍ଷଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଓଡ଼ିଶାରେ ୫୭ ହଜାର ୩୭୯ କୋଟି ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ୪୬ଟି ସାଗରମାଳା ପ୍ରକଳ୍ପର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ଶ୍ରୀ ପ୍ରଧାନ ଏହି ପ୍ରକଳ୍ପର କାର୍ଯ୍ୟକାରୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିୟଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସମସ୍ତ ସାଗରମାଳା ପ୍ରକଳ୍ପ ଗୁଡିକର ସମୀକ୍ଷା କରିବା ପରେ ଶ୍ରୀ ପ୍ରଧାନ କହିଛନ୍ତି ଓଡ଼ିଶାରେ କାର୍ଯ୍ୟକାରୀ ହେଉଥିବା ଭାରତ ସରକାରଙ୍କ ୪୬ଟି ସାଗରମାଳା ପ୍ରକଳ୍ପ ମଧ୍ୟରୁ ୫ ହଜାର ୬ କୋଟି ଟଙ୍କା ମୂଲ୍ୟର ୧୪ଟି ପ୍ରକଳ୍ପର କାମ ଶେଷ ହୋଇଛି । ୩୩ ହଜାର ୨୫୪ କୋଟି ଟଙ୍କା ମୂଲ୍ୟର ୨୨ଟି ପ୍ରକଳ୍ପ କ୍ରିୟାନ୍ୱୟନ ପ୍ରକ୍ରିୟାରେ ଅଛି ଏବଂ ୧୯ ହଜାର ୫୯ କୋଟି ଟଙ୍କା ମୂଲ୍ୟର ୧୦ଟି ପ୍ରକଳ୍ପର ନିର୍ମାଣ କାମ କରାଯାଉଛି ।

ରାଜ୍ୟରେ ବନ୍ଦରର ନବୀକରଣ, ବନ୍ଦର ସହ ସଂଯୋଗ ସ୍ଥାପନା, ବନ୍ଦର ଆଧାରିତ ଶିଳ୍ପାୟନ ଏବଂ ଉପକୂଳ ସମୂହର ବିକାଶ ଉପରେ ଧ୍ୟାନ ଦିଆଯାଇଥିବା ଏହି ପ୍ରକଳ୍ପ ଗୁଡ଼ିକ ଓଡିଶାର ଉପକୂଳବର୍ତୀ ଅଂଚଳକୁ ଆର୍ôଥକ ବିକାଶ ଏବଂ ଅନ୍ତର୍ଜାତୀୟ ଭାଲ୍ୟୁ ଚେନର ପେଣ୍ଠସ୍ଥଳି ଭାବରେ ପରିଣତ କରିବ । ସେହିପରି ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ଠାରେ ୫୦ କୋଟି ଟଙ୍କା ପୁଞ୍ଜିନିବେଶରେ ହେବାକୁ ଥିବା ମାଛଧରା ବନ୍ଦର ପ୍ରତିଷ୍ଠା ପାଇଁ ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି ।