କନକ ବ୍ୟୁରୋ: ଓଡିଶାର ଆଇନଶୃଙ୍ଖଳାକୁ ନେଇ ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ସରକାର, ପୁଲିସ ଡିଜି ଓ ଆଉ କିଛି ପୁଲିସ ଅଧିକାରୀଙ୍କୁ ତାତ୍ସଲ୍ୟ ଭଙ୍ଗୀରେ ଶୁଭେଛା ଜଣାଇଛନ୍ତି । କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି । ସେଦିନର ଦୃଶ୍ୟ ସମସ୍ତେ ଦେଖିଛନ୍ତି । ଭିଡିଓରୁ ଜଣାପଡୁଛି ଆଇନଶୃଙ୍ଖଳା କେମିତି ଅଛି । ଏହି ଶାସନ ବ୍ୟବସ୍ଥା ପାଇଁ କୃତଜ୍ଞ । ତେବେ ଚେତାବନୀ ଦେଇ କହିଛନ୍ତି, ଆଗକୁ ଏମିତି ବିରୋଧ ଘରୁ ଘରୁ ଆରମ୍ଭ ହେବ, ସେତେବେଳେ ଜେଲ କମ୍ ପଡିବ ।

Advertisment

ରାଜ୍ୟର ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ଆଣି ରାଜ୍ୟପାଳଙ୍କୁ ଭେଟିଛନ୍ତି ବିଜେପିର ଏକ ପ୍ରତିନିଧି ଦଳ । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଯାଇ, ବିଜେପି ଯୁବ ମୋର୍ଚ୍ଚାର କର୍ମୀଙ୍କ ଉପରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ, ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡରେ ଶାସକ ଦଳ ନେତାଙ୍କ ସମ୍ପୃକ୍ତି ଅଭିଯୋଗ ଆଣି ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ତେବେ ଜବାବ ରଖି, ବିଜେଡି ନେତା କହିଛନ୍ତି, ନିର୍ବାଚନ ଆସିଲେ ବିରୋଧୀ ଏମିତି କୁହନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ଆଇନଶୃଙ୍ଖଳା ଭଲ ରହିଛି ।

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପରେ, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡିଥିବା ବାରମ୍ବାର ଅଭିଯୋଗ କରି ଆସୁଛନ୍ତି ବିରୋଧୀ । କିନ୍ତୁ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ଆସୁଛି ଶାସକ ଦଳ । ଆଉ ଏସବୁ ଭିତରେ ମାସ ପରେ ବି ମନ୍ତ୍ରୀ ନବ ଦାସଙ୍କୁ ଗୋପାଳ କାହିଁକି ଗୁଳି କଲା ତାହା ରହସ୍ୟରେ ରହିଛି ।