ରାଜ୍ୟ ସରକାରଙ୍କ ଓବିସି କାର୍ଡକୁ କେନ୍ଦ୍ରମନ୍ତ୍ରୀଙ୍କ ଜୋରଦାର କାଉଂଟର : ଧର୍ମେନ୍ଦ୍ର କହିଲେ, ତିନି ଦଶନ୍ଧି ଧରି ଓବିସି ଓ ଏସଇବିସିଙ୍କୁ ୨୭% ସଂରକ୍ଷଣ ଦେଉନାହିଁ ରାଜ୍ୟ

୨ ବର୍ଷ ପରେ ବି ଲାଗୁ ହୋଇନାହିଁ ଉଚ୍ଚ ବର୍ଗର ଆର୍ଥିକ ଅନଗ୍ରସରଙ୍କୁ ୧୦ ପ୍ରତିଶତ ସଂରକ୍ଷଣ

202

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ଓବିସି କାର୍ଡକୁ ଜୋରଦାର କାଉଂଟର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ପଛୁଆ ବର୍ଗଙ୍କ ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହେଉଥିବା ଅଭିଯୋଗ ବାଢିଛନ୍ତି କେନ୍ଦ୍ରମନ୍ତ୍ରୀ । ମଣ୍ଡଳ କମିଶନଙ୍କ ସୁପାରିଶ ପରେ ଦେଶର ବିଭିନ୍ନ ରାଜ୍ୟରେ ଓବିସି ଏବଂ ଏସଇବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉଥିଲେ ମଧ୍ୟ ଓଡିଶା ସରକାର ଏହାକୁ ଲାଗୁ କରିନଥିବା ସେ ଅଭିଯୋଗ ବାଢିଛନ୍ତି ।

ସେହିପରି ରାଜ୍ୟ ଓବିସି କମିଶନଙ୍କ ସାନି ସର୍ଭେକୁ ସେ ଟାର୍ଗେଟ କରିଛନ୍ତି । ୧୯୯୩ ମସିହାରୁ ରାଜ୍ୟରେ ୨୧୦ ପଛୁଆ ଜାତିଙ୍କ ବାବଦରେ ତଥ୍ୟ ରହିଛି । ୨୦୧୭ ମସିହା ଯାଏଁ ଏଥିରେ ସଂଶୋଧନ ହୋଇଛି । ହେଲେ ରାଜ୍ୟ ପାଖରେ ପଛୁଆ ଜାତିଙ୍କ ବାବଦରେ କୌଣସି ତଥ୍ୟ ନଥିବା ଭଳି ବିଭ୍ରାନ୍ତ କରାଯାଉଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ଏହାବାଦ ୨ ବର୍ଷ ତଳେ ଉଚ୍ଚ ବର୍ଗର ଆର୍ଥିକ ଅନଗ୍ରସରଙ୍କ ପାଇଁ କେନ୍ଦ୍ର ସରକାର ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ମଧ୍ୟ ଏହାକୁ ଓଡିଶାରେ କାର୍ଯ୍ୟକାରୀ କରାଯାଇନଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ତେବେ ପଛୁଆ ବର୍ଗଙ୍କ ଚିହ୍ନଟ ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବା ପରେ, ଏହି କେନ୍ଦ୍ର-ରାଜ୍ୟ କଳି ଜୋରଦାର ହୋଇଛି । ଜନଗଣନା ସମୟରେ ସାମାଜିକ ଅର୍ଥନୈତିକ ପଛୁଆ ବର୍ଗ ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ ବୋଲି ଓଡିଶା ସରକାର ଅନୁରୋଧ କରିଥିଲେ । ଫଳରେ ଏମାନଙ୍କ ସ୍ଥିତି ସଂପର୍କରେ ଏକ ସ୍ପଷ୍ଟ ଚିତ୍ର ଆସିପାରିବ ଏବଂ ଏହାକୁ ଧରି ସରକାର ସେମାନଙ୍କ ବିକାଶ କରିପାରିବେ । ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମଧ୍ୟ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ।

ହେଲେ କେନ୍ଦ୍ର ସରକାର ଏହା ଉପରେ କିଛି ଠୋସ ପଦକ୍ଷେପ ନେଲେନାହିଁ । ତେଣୁ ରାଜ୍ୟ ସରକାର ନିଜସ୍ୱ ଉଦ୍ୟମରେ ପଛୁଆ ବର୍ଗ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ବର୍ଗର ଲୋକଙ୍କ ସାମାଜିକ ଓ ଶିକ୍ଷାର ସ୍ଥିତି ଉପରେ ସର୍ଭେକ୍ଷଣ ପାଇଁ ରାଜ୍ୟ ସରକାର ଓଡିଶା ପଛୁଆ ବର୍ଗ କମିଶନଙ୍କୁ ଅନୁମତି ଦେଇଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ବିଭାଗ ତଥା ପଛୁଆ ବର୍ଗ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଯାହାକୁ ନେଇ କେନ୍ଦ୍ର-ରାଜ୍ୟ ବିବାଦ ତେଜିବାରେ ଲାଗିଛି ।