ମୋଦୀ ସରକାର ଆଣିଥିବା କୃଷି ସମ୍ପର୍କିତ ୩ଟି ବିଲକୁ ବ୍ୟାଖ୍ୟା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: କହିଲେ, ଉତ୍ପାଦନ, ସଂରକ୍ଷଣ ଓ ବଜାରୀକରଣରେ ହେବ ସହାୟକ; ବନ୍ଦ ହେବ ଦଲାଲୀ ବ୍ୟବସ୍ଥା

263

କନକ ବ୍ୟୁରୋ: ନିକଟରେ ସଂସଦରେ ପାରିତ ହୋଇଥିବା ୩ଟି କୃଷି ଆଇନ ପ୍ରସଙ୍ଗରେ ଆଜି ବ୍ୟାଖ୍ୟା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ସ୍ଥିତ ପାଲ ହାଇଟ୍ସରେ ପ୍ରେସମିଟ କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଭାରତରେ କୃଷି କ୍ଷେତ୍ରରେ ମୌଳିକ ପରିବର୍ତନ ପାଇଁ କୃଷି ସର୍ମ୍ପକିତ ୩ଟି ବିଲକୁ ଆଇନରେ ପରିଣତ କରାଯାଇଛି । ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ବ୍ୟାପକ ସଂସ୍କାର ହୋଇଥିଲେ ମଧ୍ୟ କୃଷି କ୍ଷେତ୍ର ଅବହେଳିତ ହୋଇ ରହିଥିଲା, ତେଣୁ ଉତ୍ପାଦନ ବୃଦ୍ଧି, ସଂରକ୍ଷଣ ଓ ବଜାର ବ୍ୟବସ୍ଥା ପାଇଁ ଏହି ଆଇନ ସହାୟକ ହେବ ।

ସେହିପରି କୃଷି କ୍ଷେତ୍ରରେ ଦଲାଲୀ ବ୍ୟବସ୍ଥା ବନ୍ଦ ହେବ । ଆତ୍ମନିର୍ଭର ଭାରତ ଯୋଜନାରେ ସରକାର ୧ଲକ୍ଷ କୋଟି ଟଙ୍କା କୃଷି କ୍ଷେତ୍ରରେ ବିନିଯୋଗ କରି କାମ ଆରମ୍ଭ କରିଛନ୍ତି । ତେବେ ଏମଏସପି ବନ୍ଦ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ  । ମୋଦୀ ସରକାରରେ ଏମଏସପି ସର୍ବାଧିକ ବୃଦ୍ଧି କରାଯାଇଛି ଏବଂ ଓଡ଼ିଶାର ଚାଷୀଙ୍କ ଠାରୁ ଅଧିକ ପରିମାଣ ଓ ଅଧିକ ଅର୍ଥର ଖାଦ୍ୟଶସ୍ୟ କିଣାଯାଇଛି ବୋଲି ସେ କହିଛନ୍ତି ।