ଢେଙ୍କାନାଳରେ ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୮ଟି ବିଷୟ ଉପରେ ଦିଆଯିବ ପ୍ରଶିକ୍ଷଣ,ପ୍ରତିବର୍ଷ ୧୨୦୦ରୁ ଅଧିକ ଯୁବକ ଯୁବତୀ ହେବେ ପ୍ରଶିକ୍ଷିତ ।
କନକ ବ୍ୟୁରୋ: ଢେଙ୍କାନାଳରେ ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଗାମୀ ଦିନରେ ଢେଙ୍କାନାଳ ମଡର୍ନ କମ୍ୟୁନିକେସନର ଫ୍ୟୁଚରିଷ୍ଟିକ୍ ସେଣ୍ଟର ତଥା ଆଧୁନିକ ଯୋଗାଯୋଗର ଭବିଷ୍ୟତ କେନ୍ଦ୍ର ହେବ ବୋଲି ଶୁକ୍ରବାର ଢେଙ୍କାନାଳରେ ଏନଏସଡିସିର ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’(ଏସଆଇଏସ)କୁ ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
![](https://cdn-icons-png.flaticon.com/512/2504/2504957.png)
Kanak News is now on WhatsApp
Join and get latest news updates delivered to you via WhatsApp
ଗତ ୨୦ ତାରିଖରେ ଏନଏସଡିସି ଦ୍ୱାରା ସମ୍ବଲପୁରରେ ଦେଶର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟର ଉଦଘାଟନ କରିବା ପରେ ଆଜି ଢେଙ୍କାନାଳରେ ଏହି ସେଣ୍ଟରର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ଏକବିଂଶ ଶତାବ୍ଦୀର ଯୁବପିଢିଙ୍କ ଆକାଂକ୍ଷା ଓ ରୁଚିକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ରୋଜଗାର ଓ ସ୍ୱରୋଜଗାର ବଢାଇବା ଲକ୍ଷ୍ୟରେ ଏହି କେନ୍ଦ୍ର ସ୍ଥାପନା କରାଯାଇଛି । ଏହି କେନ୍ଦ୍ରରେ ଡିଜିଟାଲ ଦୁନିଆ ତଥା ସର୍ଭିସ ଇଣ୍ଡଷ୍ଟ୍ରିର ଆଧୁନିକ ସ୍କିଲିଂ ଟ୍ରେନିଂର ବ୍ୟବସ୍ଥା ଅଛି ।
ନିକଟରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟକୁ ସ୍ୱୀକୃତି ଦେଇ ଢେଙ୍କାନାଳ ସ୍ଥିତ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି)କୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଡିମଡ୍ ୟୁନିଭର୍ସିଟିର ମାନ୍ୟତା ଦିଆଯାଇଛି । ଆଜି ଉଦଘାଟିତ ସ୍କିଲ୍ ଇଣ୍ଡିଆ ସେଣ୍ଟର ଆଇଆଇଏମ ଢେଙ୍କାନାଳ ସହ ଯୋଡିହେଲେ ଆଗାମୀ ଦିନରେ ଢେଙ୍କାନାଳ ମଡର୍ନ କମ୍ୟୁନିକେସନର ଫ୍ୟୁଚରିଷ୍ଟିକ୍ ସେଣ୍ଟର ହୋଇପାରିବ । ଅନେକ ଛାତ୍ରଛାତ୍ରୀ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଲାଭ ନେଇପାରିବେ । ନୂଆପିଢିର ପିଲାମାନଙ୍କୁ ଦକ୍ଷ କରିବା ପାଇଁ ପ୍ରଧାନମନ୍ତ୍ରୀ ବଦ୍ଧ ପରିକର । ନୂଆପିଢିର ଯୁବକ ଯୁବତୀମାନେ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍- ସ୍କିଲିଂ ସହ ଯୋଡି ହୋଇ ନିଜକୁ ଦକ୍ଷ ବନାଇଲେ ହିଁ ଆମେ ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିପାରିବା ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ଢେଙ୍କାନାଳରେ ୬ ହଜାର ବର୍ଗଫୁଟ ପରିମିତ ଜାଗାରେ ପ୍ରତିଷ୍ଠିତ ଏହି ସ୍କିଲ୍ ସେଣ୍ଟରରେ ମୋଟ ୫ଟି ଆଧୁନିକ ଲ୍ୟାବ ରହିଛି ଏବଂ ପ୍ରଶିକ୍ଷଣ ନିମନ୍ତେ ୩ଟି ଟ୍ରେନିଂ ହଲ ଅଛି, ଯେଉଁଥିରେ ବର୍ଷକୁ ୧୨୦୦ ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀ ପ୍ରଶିକ୍ଷିତ ହୋଇପାରିବେ । ସ୍ୱଳ୍ପ ମୂଲ୍ୟରେ ୩ ମାସରେ ୮ଟି ବିଷୟ ଉପରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ସ୍କିଲ୍ ଇଣ୍ଡିଆ ମିଶନ ଅଧୀନରେ ନ୍ୟୁ ଏଜ୍ ସ୍କିଲ୍ସ, ଗ୍ରାଫିକ୍ସ ଡିଜାଇନ, ପ୍ରଯୁକ୍ତିବିଦ୍ୟା ଓ ପ୍ରଯୁକ୍ତିସେବା ଫୁଡ୍ ଆଣ୍ଡ ବେଭରେଜ୍ ସର୍ଭିସେସ୍ ଭଳି ବିବିଧ କ୍ଷେତ୍ରରେ ଇଚ୍ଛୁକ ଯୁବକ ଯୁବତୀଙ୍କୁ ଏହି କେନ୍ଦ୍ରରେ ତାଲିମ ଦିଆଯିବ ।