ଦେବଗଡରେ ଲାଭାର୍ଥୀ ସମ୍ପର୍କ ଅଭିଯାନରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଲେ, ମୋଦୀ ସରକାରରେ ଦେଶର ନାରୀଶକ୍ତି ନୂଆ ଉଚ୍ଚତାକୁ ଯାଇଛି ।

86

କନକ ବ୍ୟୁରୋ : ଦେବଗଡ଼ରେ ‘ଲାଭାର୍ଥୀ ସମ୍ପର୍କ ଅଭିଯାନ’ରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ଦେଶର ନାରୀଶକ୍ତି ଓ ମହିଳା ଆଧାରିତ ବିକାଶ ନୂଆ ଉଚ୍ଚତାକୁ ଯାଇଛି ବୋଲି ଶନିବାର ଦେବଗଡ଼ର ରଜାମୁଣ୍ଡା ଅଞ୍ଚଳରେ ‘ଲାଭାର୍ଥୀ ସମ୍ପର୍କ ଅଭିଯାନ’ରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅଭିଯାନ ଅଧୀନରେ କେନ୍ଦ୍ରମନ୍ତ୍ରୀ ମୋଦୀ ସରକାରଙ୍କ କଲ୍ୟାଣକାରୀ ଯୋଜନାର ଲାଭାର୍ଥୀ ବିଶେଷ ଭାବରେ ସ୍ଥାନୀୟ ଅଞ୍ଚଳର ମାଆ ଭଉଣୀ ମାନଙ୍କୁ ଭେଟିବା ସହ ଆଲୋଚନା କରିଥିଲେ । ଘର ଘର ବୁଲି ମୋଦିଙ୍କ ଷ୍ଟିକର ଲଗାଇବା ସହ ଲିଫଲେଟ୍ ବାଣ୍ଟିଥିଲେ । ଧର୍ମେନ୍ଦ୍ର କହିଛନ୍ତି, ମୋଦୀ ସରକାର ଲୋକଙ୍କ ଜୀବନକୁ ସହଜ କରିବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେଇଛନ୍ତି । ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଜଳ ଜୀବନ ମିଶନରେ ପ୍ରତି ଘରକୁ ପାଇପ ଯୋଗେ ବିଶୁଦ୍ଧ ପାଣି ପହଞ୍ଚାଯାଇଛି । ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ, ଉଜ୍ଜ୍ୱଳା ଯୋଜନାରେ ମାଗଣାରେ ରନ୍ଧନ ଗ୍ୟାସ ସହ କରୋନା ସମୟରେ ଟିକା ଉପଲବ୍ଧ କରାଇଛନ୍ତି । ଜନଧନରେ ଟଙ୍କା ଓ ଲକ୍ଷପତି ଦିଦି ଭଳି ଅନେକ ଯୋଜନା ବିଶେଷତଃ ମାତୃଶକ୍ତିଙ୍କ ଜୀବନରେ ପରିବର୍ତ୍ତନ ଆଣିଛି । ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରୀଙ୍କ ନାମଲେଖା ଅଭିବୃଦ୍ଧି ଓ ଅନ୍ୟାନ୍ୟ ସଫଳତା ବିକଶିତ ଭାରତ ନିର୍ମାଣ ପାଇଁ ଆମର ମାର୍ଗ ପ୍ରଶସ୍ତ କରିଛି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଲ୍ୟାଣକାରୀ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ସହ ତାଙ୍କ ହାତମୁଠାକୁ ଟାଣ କରିବା ପାଇଁ ନିବେଦନ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ ।