ସୁରତରେ ‘ପ୍ରବାସୀ କେନ୍ଦ୍ର’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ । କହିଲେ, ପ୍ରବାସୀଙ୍କ ଦକ୍ଷତା ଅନୁଯାୟୀ ମିଳିବ କାମ, ଜୀବିକାରେ ବୃଦ୍ଧି ଘଟିବ

200

କନକ ବ୍ୟୁରୋ: ସୁରତରେ ‘ପ୍ରବାସୀ କେନ୍ଦ୍ର’ର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ । ପ୍ରବାସୀ ଓଡିଆଙ୍କୁ ସମସ୍ତ ପ୍ରକାର ସହାୟତା ସହ ମିଳିବ ସରକାରୀ ଯୋଜନାର ଲାଭ ବୋଲି ପ୍ରତିଶ୍ରୁତି ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାର ଦେଶରେ ପ୍ରବାସୀଙ୍କ ଜୀବନଜୀବିକାକୁ ଗୁରୁତ୍ୱ ଦେବା ସହ ସେମାନଙ୍କ ଉନ୍ନତି ପାଇଁ ବଦ୍ଧପରିକର । ଆଜି ଲୋକାର୍ପିତ ହୋଇଥିବା ପ୍ରବାସୀ କେନ୍ଦ୍ର ପ୍ରବାସୀ ଶ୍ରମିକମାନଙ୍କର ଏକ ସବିଶେଷ ରୂପରେଖ ପ୍ରସ୍ତୁତ କରିବା ସହ ସେମାନଙ୍କୁ ସେମାନଙ୍କର ଦକ୍ଷତା ଅନୁଯାୟୀ ଶ୍ରେଣୀଭୁକ୍ତ କରିବ ତଥା କାମ ପ୍ରଦାନ କରିବ । ଏହା ଦ୍ୱାରା ଭାରତ ସରକାରଙ୍କ ‘ଶ୍ରମଶକ୍ତି’ ସହ ସମ୍ପୃକ୍ତ ଶିଳ୍ପ ସହିତ ସଂଯୋଗ କରିବା ଓ ପ୍ରବାସୀଙ୍କ ଜୀବିକା ବୃଦ୍ଧି ଏବଂ ସେମାନଙ୍କର ସମ୍ମାନକୁ ସୁନିଶ୍ଚିତ କରିବ । ମାଇଁ ସୁରତ ଦ୍ୱାରା ଏଭଳି ପଦକ୍ଷେପ ନିଆଯାଇଥିବା ବେଳେ ସହରର ଜୀବନଜୀବିକା କେନ୍ଦ୍ର ସହିତ ସଂଯୋଗ ଥିବା ପ୍ରବାସୀମାନେ ଅଧିକ ଉପକୃତ ହୋଇପାରିବେ ।

କରୋନାର ଆହ୍ୱାନ ପ୍ରବାସୀ ଶ୍ରମିକଙ୍କ ପାଇଁ ପଦକ୍ଷେପ ନେବାର ଉଦ୍ୟମ ତଥା ସେମାନଙ୍କ ଅଧିକାରର ସୁରକ୍ଷା ପାଇଁ ଭଲ ଯୋଜନା ହେବା ଆବଶ୍ୟକତା ରହିଥିବାର ମାର୍ଗ ଦେଖାଇଛି । ସମଗ୍ର ଭାରତର ପ୍ରବାସୀଙ୍କ ଘର କୁହାଯାଉଥିବା ସୁରତ ପ୍ରବାସୀଙ୍କୁ ଆତ୍ମନିର୍ଭର କରିବାରେ ବଡ଼ ଭୂମିକା ଗ୍ରହଣ କରିଛି । ସହରୀ ଯୋଜନା, ନାଗରିକ ସୁବିଧା, ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସୁରଟ ଏକ ଆଦର୍ଶ ସହର ଭାବରେ ପରିଗଣିତ ହୋଇପାରିଛି । ଆଜି ପ୍ରତିଷ୍ଠା ହୋଇଥିବା ପ୍ରବାସୀ କେନ୍ଦ୍ର ଏ ଦିଗରେ ବୃହତ ପଦକ୍ଷେପ ଏବଂ ଆମର ପ୍ରବାସୀଙ୍କୁ ସାମାଜିକ ତଥା ଆର୍ଥିକ ସୁରକ୍ଷା ଦେବାରେ ଏକ ମଡ଼େଲ ଭାବରେ ଉଭା ହୋଇଛି ବୋଲି ଧର୍ମେନ୍ଦ୍ର କହିଛନ୍ତି ।