ନବୀନଙ୍କୁ ଧର୍ମେନ୍ଦ୍ରଙ୍କ କଟାକ୍ଷ: କହିଲେ, ଆପଣ ମୁହଁରେ ସୁନା ଚାମଚ ନେଇ ଜନ୍ମ ହୋଇଛନ୍ତି, ଗରିବ କଥା ବୁଝିବେ କ’ଣ?

250

କନକ ବ୍ୟୁରୋ: ପଦ୍ମପୁର ନିର୍ବାଚନୀ ପ୍ରଚାର ମୈଦାନକୁ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପାଇକମାଳରୁ ବିଜେଡି ସୁପ୍ରିମୋଙ୍କୁ ସିଧା ନିଶାନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଯାଏଁ ମୁଖ୍ୟମନ୍ତ୍ରୀ ଜୀ- ଓଡ଼ିଶାର ଧାନକିଣା କଥା ମୋଦିଙ୍କୁ କହିବାର ମୁଁ କେବେ ଦେଖିନି କି ଶୁଣିନି ବରଂ ଖାଲି ଲୋକ ଦେଖାଣିଆ କହିଚାଲିଛନ୍ତି ବୋଲି କହି ନବୀନଙ୍କୁ କଟାକ୍ଷ କରିଛନ୍ତି ଧର୍ମେନ୍ଦ୍ର । ନବୀନ ବାବୁ ଆପଣ ବଡ଼ ଲୋକ, ଆପଣ ମୁହଁରେ ସୁନା ଚାମଚ ନେଇ ଜନ୍ମ ହୋଇଛନ୍ତି ତେଣୁ ଗରିବ କଥା ବୁଝିବେ କ’ଣ?

ଚାଷୀଙ୍କୁ ଅବହେଳା, ମଣ୍ଡି ଅବବ୍ୟସ୍ଥା ନେଇ ବିଜେଡି ଉପରେ ବର୍ଷିଲେ ଧର୍ମେନ୍ଦ୍ର । କହିଲେ, ୨୨ ବର୍ଷ ଆପଣ ଶାସନ ରହିଲେ କିନ୍ତୁ ସବୁଥିରେ ବିଫଳତା ହିଁ ବିଫଳତା । ଯାହା ୨୨ ବର୍ଷରେ କରି ପାରି ନାହାନ୍ତି ତାକୁ ୧୮ ମାସରେ ପଦ୍ମପୁରବାସୀଙ୍କୁ ପଇସାର ତାକତ ଦେଖାଉଛି ଶାସକ ଦଳ । ସହିଦ ମାଟିର ସନ୍ତାନଙ୍କୁୁ ଏମାନେ ଟଙ୍କାରେ କିଣିବାକୁ ଚାହୁଁଛନ୍ତି । କିନ୍ତୁ ସରକାରୀ କଳକୁ ପଦ୍ମପୁରବାସୀ ଜବାବ୍ ଦେବେ ।

ଏ ମଣ୍ଡି ପାଇଁ ତ ମୋଦି ପଇସା ଦେଇଥିଲେ କୁଆଡେ ଗଲା ହିସାବ ଦିଅନ୍ତୁ । ଯଦି ନଦେଇ ପାରିବେ ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ ସବୁର ସମୟ ଆସିବ ହିସାବ ହେବ ବୋଲି କଡ଼ା ଟିପ୍ପଣି ଦେଇଛନ୍ତି ଧର୍ମେନ୍ଦ୍ର । ଏପରିକି ବିଜେଡି ସରକାର ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କୁ ମଧ୍ୟ ଟାର୍ଗେଟ କରି ଧର୍ମେନ୍ଦ୍ର କହିଛନ୍ତି କି, ସ୍ୱାସ୍ଥ୍ୟ ବିଭାଗ ପଛେ ଉବୁଟୁବୁ ହେଉ କିନ୍ତୁ ମନ୍ତ୍ରୀ ତାଙ୍କ କାନ୍ଧରେ ଟଙ୍କା ମୁଣି ପକାଇ ପଦ୍ମପୁରରେ ଡେରା ପକାଇଛନ୍ତି । ଯେଉଁ ମନ୍ତ୍ରୀ ଜାନକୀ ବାବୁଙ୍କ ସମୟରେ ଏକ ନମ୍ବର ମନ୍ତ୍ରୀ ଥିଲେ ପରେ ତାଙ୍କ ସରକାରକୁ ଡୁବାଇଥିଲେ ଏବେ ନବୀନ ବାବୁଙ୍କ ଗୁଡ୍ ବୁକରେ ରହିବାକୁ ଚାହୁଁଛନ୍ତି । ତେଣୁ ଆଗକୁ ନବୀନ ବାବୁଙ୍କ ସରକାର ଡୁବିବାର ସମୟ ଆସିଗଲା ବୋଲି କଟାକ୍ଷ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ପ୍ରଦୀପ ପୁରୋହିତଙ୍କ ପ୍ରଶଂସା କରି ଧର୍ମେନ୍ଦ୍ର କହିଛନ୍ତି, ଧାନ, ମୋଦି ଆପଣଙ୍କୁ ପଦ୍ମପୁର ପାଇଁ ମନୋନୀତ କଲେ, ନଡ୍ଡା ଜୀ ଦସ୍ତଖତ କରି ଆପଣଙ୍କୁ ଟିକେଟ୍ ଦେଲେ । ଆପଣ କୃଷକ ଆନ୍ଦୋଳନରୁ ନିର୍ବାଚନକୁ ଆସିଛନ୍ତି ତେଣୁ ଚାଷୀଙ୍କ କଥା ଆପଣଙ୍କଠୁ କେହି ଭଲ ବୁଝିପାରିବେ ନାହିଁ । ଆମ ହଳିଆ କୁନା ପୁରୋହିତ, ଆମର ଗୁତି ହେଲେ କୁନା ପୁରୋହିତ ତେଣୁ ଆପଣମାନଙ୍କ ହାତରେ ଏବେ ଆମେ ଜଣେ ହଳିଆକୁ ଛାଡ଼ିଲୁ ନିଷ୍ପତି ପଦ୍ମପୁରବାସୀ ନେବେ ।

ଆମେ ଚାହୁଁଛୁ ନିର୍ବାଚନ ପ୍ରସଙ୍ଗ ଉପରେ ହେଉ ତେଣୁ ମୁଁ ହାତରେ ଓଡ଼ିଶା ସରକାରଙ୍କ ବିଫଳତାର ଫର୍ଦ୍ଦ ଫର୍ଦ୍ଦ ଧରିକି ଆସିଛି । ମୋଦି କେନ୍ଦ୍ରରୁ ଧାନକିଣାର ପଇସା ଦେଉଥିଲେ ହେଲେ ନବୀନ ବାବୁଙ୍କ ସରକାର ପୁଞ୍ଜିପତିଙ୍କ ସହ ମିଶି ତାକୁ ହଳ କରିଦେଲେ । ଶାସକ ଦଳ ମିଲର ମାଲିକଙ୍କ ସହ ମଧୂଚନ୍ଦ୍ରିକା କରି ଧାନ ପଇସା ଖାଇଯାଉଛନ୍ତି । ଏଥର ପ୍ରଦୀପ ପୁରୋହିତ (କୁନା ବାବୁ) ପଦ୍ମପୁରରୁ ବିଧାନସଭା ଯିବେ ସବୁର ହିସାବ ମାଗିବେ ।