ଭୁବନେଶ୍ୱର ଏମ୍ସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଲେ, ଟ୍ରେନ ଦୁର୍ଘଟଣାରେ ଚିହ୍ନଟ ହୋଇପାରୁନଥିବା ମୃତଦେହର କରାଯିବ ଡିଏନଏ ଟେଷ୍ଟ

160

କନକ ବ୍ୟୁରୋ: ଭୁବନେଶ୍ୱର ଏମ୍ସ ହସପିଟାଲରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୃତଦେହ ନେବାକୁ ଆସୁଥିବା ମୃତକଙ୍କ ଆତ୍ମୀୟସ୍ୱଜନଙ୍କ ସହ ଆଲୋଚନା କରିଥିବା ବେଳେ ଚିହ୍ନଟ ହୋଇପାରୁନଥିବା ମୃତଦେହ ଗୁଡିକର ଡିଏନଏ ଟେଷ୍ଟ କରାଯିବ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏଯାଏ ହସପିଟାଲରେ ୮୨ଟି ମୃତ ଶରୀର ରହିଛି । ଯାହାକି ଏଯାଏ ଚିହ୍ନଟ ହୋଇପାରିନି ।

ସେ କହିଛନ୍ତି, ଦୁର୍ଘଟଣାଗ୍ରସ୍ତ ଲୋକଙ୍କ ଆତ୍ମୀୟସ୍ୱଜନ ମେଡିକାଲରେ ପହଂଚିଥିବା ବେଳେ ଚିହ୍ନଟ ପ୍ରୟାସ ଜାରିରହିଛି । ପୋଷ୍ଟମର୍ଟମ ରିପୋର୍ଟ ସହ ସମସ୍ତ ରିପୋର୍ଟ ସହ ସହାୟତା ମଧ୍ୟ ଦିଆଯାଉଛି । ୮୨ଜଣ ଚିହ୍ନଟ କରିବାରେ ଅସୁବିଧା ହେଉଛି । ଡିଏନଏ ହିଁ ଏକମାତ୍ର ରାସ୍ତା ମୃତଦେହ ଚିହ୍ନଟ କରିବାରେ । ସମ୍ପୂର୍ଣ୍ଣ ବ୍ୟବସ୍ଥିତ ଭାବେ ସମସ୍ତ କାର୍ଯ୍ୟ କରାଯାଉଛି । ଆଧାରକାର୍ଡ ପରିଚୟ ପତ୍ର ଆଦି ଯାଞ୍ଚ ପରଖ କଲାପରେ ହିଁ ମୃତଦେହ ହସ୍ତାନ୍ତର କରାଯାଉଛି । ଦୁର୍ଘଟଣା ଦିନ ପ୍ରାୟ ୧ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ହସପିଟାଲରେ ଭର୍ତି କରାଯାଇଛି । ଏମ୍ସରେ ଯେଉଁ କିଛି ମୃତଦେହ ରହିଛି ତାର ସଠିକ୍ ଭାବେ ଯାଞ୍ଚ କରାଯିବା ସହିତ ଡିଏନଏ ଟେଷ୍ଟ କରାଯାଇ ସ୍ୱଜନଙ୍କୁ ମୃତଦେହକୁ ହସ୍ତାନ୍ତର କରାଯିବ ।