କନକ ବ୍ୟୁରୋ: ସେନା ଅଫିସରଙ୍କୁ ଗାଳି ଦେଲେ ଧର୍ମେନ୍ଦ୍ର । ସୋସିଆଲ ମିଡିଆରେ ଏପରି ଏକ କାହାଣୀର ଜୋରଦାର ଚର୍ଚ୍ଚା ଚାଲିଛି । ଲିଙ୍କ୍ଡ ଇନ୍ ସୋସିଆଲ ସାଇଟରେ ପୂର୍ବତନ ସେନା ଅଧିକାରୀ ଅଜୟ କୁମାରଙ୍କ ଏକ ପୋଷ୍ଟକୁ ନେଇ ହଇଚଇ ସୃଷ୍ଟି ହୋଇଛି । ୨୩ ବର୍ଷ ଧରି ଭାରତୀୟ ସେନାରେ ସେବା ଯୋଗାଇଥିବା ଅଜୟ କୁମାର, ନ୍ୟାସନାଲ ସ୍କିଲ୍ ଡେଭେଲପମେଂଟ କର୍ପୋରେସନ୍ର ଉଚ୍ଚସ୍ତରୀୟ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ଏହି ସମୟରେ କିପରି ସମସ୍ତଙ୍କ ସାମନାରେ ତାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗାଳି ଦେଇଥିଲେ ଏବଂ କିପରି ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା, ସୋସିଆଲ୍ ସାଇଟରେ ବିସ୍ତୃତ ଭାବେ ବର୍ଣ୍ଣନା କରିଛନ୍ତି ଅଜୟ କୁମାର । ଅଜୟ କୁମାରଙ୍କ ଏହି ପୋଷ୍ଟକୁ ଆଧାର କରି ବରିଷ୍ଠ ସାମ୍ବାଦିକ ରବୀଶ କୁମାର ତାଙ୍କ ଫେସ୍ବୁକରେ ଏକ ଆଟିକଲ୍ ମଧ୍ୟ ଲେଖିଛନ୍ତି । ଏହା ପରେ ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।
୨୩ ବର୍ଷ ସେନା ଚାକିରି ଓ ୪ ବର୍ଷର କର୍ପୋରେଟ୍ ଜବ୍ ପରେ ଦେଶ ପାଇଁ କିଛି କରିବା ଲକ୍ଷ୍ୟ ନେଇ ଜାତୀୟ କୌଶଲ ବିକାଶ ନିଗମରେ ଯୋଗ ଦେଇଥିଲେ ଅଜୟ କୁମାର । ଜାମ୍ମୁ କାଶ୍ମୀରର ଯୁବକଙ୍କ ପାଇଁ ‘ଉଡ଼ାନ୍’ ଯୋଜନାର ମୁଖ୍ୟ ଦାୟିତ୍ୱ ସହ ସ୍କିଲ୍ ସେଂଟରକୁ ଯାଂଚ କରି ରେଟିଂ ଦେବା ଦାୟିତ୍ୱ ନ୍ୟସ୍ତ ଥିଲା ଅଜୟ କୁମାରଙ୍କ ଉପରେ । ହେଲେ କୁହାଯାଉଛି ଯେ, ସେନାର କଠୋର ଶୃଙ୍ଖଳା ଓ କର୍ତବ୍ୟ ପ୍ରତି ପ୍ରଚଣ୍ଡ ନିଷ୍ଠା ଭିତରୁ ଆସିଥିବା ଅଜୟ କୁମାର ବୋଧହୁଏ କେବେ ସ୍ୱପ୍ନରେ ଭାବିନଥିବେ ଯେ ତାଙ୍କର ଆଦର୍ଶ ପାଇଁ ଦିନେ ତାଙ୍କୁ ଅପମାନିତ ହେବାକୁ ପଡ଼ିବ । ଚାକିରିରୁ ଇସ୍ତଫା ଦେବାକୁ ବାଧ୍ୟ କରାଯିବ । ଗତବର୍ଷର ଏପରି ଏକ ଅଭାବନୀୟ ପରିସ୍ଥିତିକୁ ସୋସିଆଲ ସାଇଟରେ ବର୍ଣ୍ଣନା କରିଛନ୍ତି ଅଜୟ କୁମାର ।
ଦିଲ୍ଲୀର କଂଷ୍ଟିଚ୍ୟୁସନ୍ କ୍ଲବରେ ସ୍କିଲ ଇଣ୍ଡିଆର କାର୍ଯ୍ୟକ୍ରମ ଥାଏ । ଅଜୟ କୁମାର ସେଥିରେ ଯୋଗ ଦେବାର ନଥିଲେ ମଧ୍ୟ ସ୍କିଲ୍ ଡେଭେଲପମେଂଟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଫିସରୁ ତାଙ୍କୁ ଯୋଗ ଦେବାକୁ କୁହାଯାଇଥାଏ । ଅଜୟ କୁମାର ଲେଖିଛନ୍ତି, ଏକ ଖାସ୍ ସ୍କିଲ ସେଂଟରକୁ ମାନ୍ୟତା ଦେବାକୁ ତାଙ୍କୁ କହିଥିଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେବେ ଆଇନ୍ ଅନୁଯାୟୀ ଏପରି କରିବା ଅସମ୍ଭବ ବୋଲି ରୋକଠୋକ୍ ଶୁଣାଇ ଦେଇଥିଲେ ଅଜୟ କୁମାର । ହେଲେ କୌଣସି ମୌଖିକ ଆଦେଶକୁ ସେ କାର୍ଯ୍ୟକାରୀ କରିବେ ନାହିଁ ବୋଲି ତାଙ୍କର ଅକ୍ଷମତା ପ୍ରକାଶ କରିଥିଲେ ଅଜୟ କୁମାର । ଆଉ ଏତିକିରେ ଚିହିଁକି ଉଠିଥିଲେ ଧର୍ମେନ୍ଦ୍ର । ସମସ୍ତଙ୍କ ଆଗରେ ମନକୁ ଯାହା ଆସିଲା, ସେହି ଭାଷାରେ ଗାଳିଦେଲେ କେନ୍ଦ୍ରମନ୍ତ୍ରୀ ।
ସ୍କିଲ୍ ଇଣ୍ଡିଆର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ଲଘୁ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟର ଯୁଗ୍ମ ସଚିବ ଉପସ୍ଥିତ ଥିଲେ ମଧ୍ୟ ମନ୍ତ୍ରୀଙ୍କ ରାଗ ଆଗରେ ସମସ୍ତେ ଚୁପ୍ ରହିଥିଲେ । ମନ୍ତ୍ରୀଙ୍କ ବ୍ୟବହାର ଦେଖି ସ୍ୱାଭିମାନ ଓ ସମ୍ମାନକୁ ଗୁରୁତ୍ୱ ଦେଉଥିବା ଅଜୟ କୁମାର ହତପ୍ରଭ ରହି ଯାଇଥିଲେ । ଅଜୟ କୁମାର ଲେଖିଛନ୍ତି, ସେ ଏହାର ପ୍ରତିବାଦ କରିଥିଲେ ଏବଂ ମନ୍ତ୍ରୀଙ୍କୁ ଭାଷା ସଂଯତ ହେବାକୁ କହିଥିଲେ । ଯାହା ଧର୍ମେନ୍ଦ୍ରଙ୍କୁ ଆହୁରି ଉତକ୍ଷିପ୍ତ କରିଥିଲା । ତାଙ୍କୁ ଚାକିରିରୁ ବରଖାସ୍ତ କରିବାକୁ ମଧ୍ୟ ସେ ଧମକ ଦେଇଥିବା ଲେଖିôଛନ୍ତି ଅଜୟ କୁମାର । ଏପରିକି ଅଜୟ କୁମାର ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଏହି ଘଟଣା ପରେ ତାଙ୍କୁ ଚାକିରିରୁ ଇସ୍ତଫା ଦେବାକୁ ବିଭିନ୍ନ ମହଲରୁ ଚାପ ପଡ଼ିବା ଆରମ୍ଭ ହୋଇଥିଲା । ଚାକିରି ନଛାଡିଲେ ପରିସ୍ଥିତି ଆହୁରି ସାଂଘାତିକ ହେବ ବୋଲି ମଧ୍ୟ ଚେତାବନୀ ଦିଆଯାଇଥିଲା । ଏହାପରେ ଗତବର୍ଷ ଜୁଲାଇ ୩୧ରେ ଚାକିରି ଛାଡିଥିଲେ ଅଜୟ କୁମାର ।
ଏତିକିରେ ଶେଷ ହୋଇନଥିଲା ଅଜୟଙ୍କ କ୍ଷୋଭ, ଇସ୍ତଫା ଦେବା ପରେ କର୍ପୋରେଟ୍ ସେକ୍ଟରରୁ ଚାକିରି ପାଇଁ ୪ଟି ପ୍ରସ୍ତାବ ଆସିଥିଲେ ମଧ୍ୟ ସ୍କିଲ୍ ଇଣ୍ଡିଆ ଛାଡିବା କାରଣ ଜାଣିବା ପରେ କୌଣସି କଂପାନୀ ଚାକିରି ଦେବାକୁ ଚାହିଁ ନଥିଲେ । ତାଙ୍କର ଶୁଭେଚ୍ଛୁ ଏହି ଘଟଣାକୁ ଲୁଚାଇବା ପାଇଁ ତାଙ୍କୁ ପରାମର୍ଶ ଦେଉଥିବାରୁ ଇସ୍ତଫା ଦେବାର ୯ ମାସ ପରେ ସର୍ବ ସାଧାରଣଙ୍କ ଅବଗତି ପାଇଁ ସୋସିଆଲ ସାଇଟରେ ଏହା ଜଣାଇଥିବା ଲେଖିଛନ୍ତି ଅଜୟ କୁମାର ।