ପକ୍କା ଘର ପଲିଟିକ୍ସ : ରାଜ୍ୟ ସରକାରଙ୍କ ତଥ୍ୟ ଉପରେ ଆପତ୍ତି ଉଠାଇଲେ ଧର୍ମେନ୍ଦ୍ର । ତୋମାରଙ୍କୁ ଚିଠି ଲେଖି କହିଲେ ତଦନ୍ତ ହେଉ ।

ପକ୍କା ଘର ପଲିଟିକ୍ସ : ରାଜ୍ୟ ସରକାରଙ୍କ ତଥ୍ୟ ଉପରେ ଆପତ୍ତି ଉଠାଇଲେ ଧର୍ମେନ୍ଦ୍ର । ତୋମାରଙ୍କୁ ଚିଠି ଲେଖି କହିଲେ ତଦନ୍ତ ହେଉ ।

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ୧୭ ଲକ୍ଷ ବିଜୁ ପକ୍କା ଘର ବିଜ୍ଞାପନକୁ ମିଛ କହି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗରୀବ ଲୋକଙ୍କୁ ପକ୍କା ଘର ମାମଲାରେ ମିଥ୍ୟା ତଥ୍ୟ ଦେଇ ବିଜ୍ଞାପନ ଜରିଆରେ ରାଜ୍ୟବାସୀଙ୍କ ଆଖିରେ ଧୂଳି ଦେଉଛନ୍ତି ବୋଲି ଅଭିଯୋଗ କରି ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର । ବିଜୁ ପକ୍କା ଘର ଯୋଜନାରେ ରାଜ୍ୟ ସରକାର ୧୭ ଲକ୍ଷ ପକ୍କା ଘର କରିଥିବା ବିଜ୍ଞାପନ ଦେଇଛନ୍ତି କିନ୍ତୁ ତାଙ୍କର ରୁରାଲ ହାଉସିଂ ୱେସାଇଟରେ ବିଜୁ ପକ୍କା ଘର ଯୋଜନା, ବିଜୁ ପକ୍କାଘର ଯୋଜନା ଖଣି ଏବଂ ନିର୍ମାଣ ଶ୍ରମିକ ପକ୍କା ଘର ଯୋଜନାରେ ମୋଟ ୨.୮ ଲକ୍ଷ ଘର ନିର୍ମାଣ କରିଥିବା ଉଲ୍ଲେଖ ରହିଛି ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି । ଯାହାକୁ ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତକାରୀ ଦଳ ରାଜ୍ୟକୁ ପଠାଇ ଯୋଜନାକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର ।

ଏହାସହ ଧର୍ମେନ୍ଦ୍ର ଚିଠିରେ ଲେଖିଛନ୍ତି ଯେ, ପକ୍କା ଘର ମାମଲାରେ କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ନିଜସ୍ୱ ଯୋଜନା କହି ମିଛ ପ୍ରଚାର କରୁଛନ୍ତି । ଗରିବଙ୍କ ହିତ ପାଇଁ ଯୋଜନାକୁ ଜନସକ୍ରିୟତା ଭାବେ ହାତକୁ ନେବା ପାଇଁ କେନ୍ଦ୍ର ଗ୍ରାମୀଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଅନୁରୋଧ କରିଛନ୍ତି । ୨୦୧୬ ମସିହାରେ ଗ୍ରାମାଞ୍ଚଳ ପାଇଁ ଦଶଲକ୍ଷ ବିଜୁ ପକ୍କାଘର ତିଆରି କରିଛନ୍ତି ବୋଲି ଘୋଷଣା କରିଥିଲେ ରାଜ୍ୟ ସରକାର । ବିଧାନସଭାରେ ଏହି ପ୍ରଶ୍ନ ଉଠାଇଲାବେଳେ ରାଜ୍ୟ ସରକାର ପ୍ରଶ୍ନକୁ ଏଡ଼ାଇଥିବା ଅଭିଯୋଗ ମଧ୍ୟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେଦ୍ର । ଏହାସହ ପ୍ରଧାନମନ୍ତ୍ରୀଙ୍କ ଆୟୁଷ୍ମାନ ଭାରତ ଯୋଜନାରୁ ନଜର ହଟାଇବା ପାଇଁ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ର କଲ୍ୟାଣ ଯୋଜନା କରିଛନ୍ତି ବୋଲି କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।

କେନ୍ଦ୍ର ସରକାରଙ୍କ ଯୋଜନାକୁ ନିଜର କରିବା ରାଜ୍ୟ ସରକାରଙ୍କ କାମ ନୂହେଁ ବୋଲି ଧର୍ମେନ୍ଦ୍ର ଚିଠି ଦ୍ୱାରା ଜଣାଇଛନ୍ତି । ଟଙ୍କିକିଆ ଚାଉଳ , ୧୦୮ ଆମ୍ବୁଲାନ୍ସ ଭଳି ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କୁ ଘେରି କେନ୍ଦ୍ରମନ୍ତ୍ରୀ ତୋମାରଙ୍କୁ ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ସେପଟେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ, ଗୁରୁପ୍ରିୟା ସେତୁ ଓ ବିଜୁ ପକ୍କା ଘର ସଫଳ ଭାବେ କାର୍ଯ୍ୟକାରୀ ହେଉଥିବାରୁ ଅସହିଷ୍ଣୁ ହୋଇ ପଡିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର । ତେଣୁ ଚର୍ଚ୍ଚାରେ ରହିବା ପାଇଁ ଏଭଳି ଭିତ୍ତିହୀନ ଚିଠି ଲେଖୁଛନ୍ତି । ଏହା ଦର୍ଶାଉଛି ଯେ, କେନ୍ଦ୍ରମନ୍ତ୍ରୀ ତୋମାର ହୁଏତ ତାଙ୍କ କାର୍ଯକାରିତା ସଠିକ ଭାବେ ତୁଲାଉ ନାହଁନ୍ତି ତେଣୁ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖୁଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାର ସଦା ସର୍ବଦା ଓଡିଶାବାସୀଙ୍କଉନ୍ନତି ପଥରେ ଅଛନ୍ତି । ଅପର ପକ୍ଷେ କେନ୍ଦ୍ର ମନ୍ତ୍ରୀ ନୀଜ ବିଭାଗର ଦାୟିତ୍ୱ ଛାଡି ଅନ୍ୟ ବିଭାଗ ବିଷୟରେ ଚିନ୍ତା କରୁଥିବାରୁ ଆଜି ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହୋଇଛି ବୋଲି ସସ୍ମିତ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe