କନକ ବ୍ୟୁରୋ: କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ମାଡ ଅଭିଯୋଗ ପ୍ରସଙ୍ଗ । ଅଭିଯୋଗକୁ ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । କହିଲେ, ମୋ ବିରୋଧରେ ଆସିଥିବା ଅଭିଯୋଗ ଭିତ୍ତିହୀନ । ଆଲୋଚନା ହୋଇଛି ହେଲେ ମାଡ ମାରିବା କଥା ମିଛ । ନିର୍ବାଚନ ଆସିଲେ ଏମିତି ସବୁ ଚର୍ଚ୍ଚା ହୁଏ । ପଞ୍ଚାୟତ ନିର୍ବାଚନରେ ନଜର ହଟାଇବାକୁ ଏମିତି ଚକ୍ରାନ୍ତା କରାଯାଉଛି । ସାଂସଦ ପାଣ୍ଢିରେ ଆସିଥିବା ଅର୍ଥର ଖର୍ଚ୍ଚ ବାବଦରେ ପଚାରିଥିଲି ।
ଦୁଇ ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ମାଡ ମାରିଥିବା ଅଭିଯୋଗ ହୋଇଛି । ଏଥିରେ ଆହତ ହୋଇ ଦୁଇ କର୍ମଚାରୀ ଅଶ୍ୱିନୀ କୁମାର ମଲ୍ଲିକ ଏବଂ ଦେବାଶିଷ ମହାପାତ୍ର ଆହତ ହୋଇ ପଣ୍ଡିତ ରଘୁନାଥ ମୁର୍ମୁ ହସ୍ପିଟାଲରେ ଭର୍ତି କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଉପ ନିର୍ଦ୍ଦେଶକ ଏବଂ ସହକାରୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ଏହି ଦୁଇ ଜଣ ବ୍ୟକ୍ତି ।
ଅଭିଯୋଗ ଅନୁସାରେ, ସରକାରୀ ଫାଇଲ କିଛି ଦେଖିବାକୁ ଚାହୁଁଥିବା ନେଇ ପ୍ରଥମେ କେନ୍ଦ୍ରମନ୍ତ୍ରୀଙ୍କ ପକ୍ଷରୁ ଫୋନ୍ ଆସିଥିଲା । ହେଲେ କୋଡ୍ ଅଫ୍ କଣ୍ଡକ୍ଟ ଲାଗିଥିବାରୁ ଫାଇଲ ନେଇ ଯାଇପାରିବେ ନାହିଁ ବୋଲି ଅକ୍ଷମତା ଦେଖାଇଥିଲେ । ଆଉ ଏହାପରେ ଉଭୟଙ୍କୁ ଏକ ବେସରକାରୀ ହସ୍ପିଟାଲକୁ ଆସିବାକୁ କୁହାଯାଇଥିଲା । ହେଲେ ଏଥିରେ ବି ଉଭୟ ଅଧିକାରୀ ରଙ୍କକ୍ସକ୍ଟ ହୋଇନଥିବା ସେମାନେ ବୟାନ ଦେଇଛନ୍ତି । ପରେ ବିନା ଫାଇଲରେ ଆସି ମନ୍ତ୍ରୀଙ୍କୁ ଦେଖା କରିବାକୁ କୁହାଯାଇଥିଲା । ଆଉ ଯେତେବେଳେ ଉଭୟେ ଯାଇ ମନ୍ତ୍ରୀଙ୍କୁ ଦେଖା କଲେ ସେତେବେଳେ ସେମାନଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି ।
ଚେୟାରରେ ଆକ୍ରମଣ କରାଯାଇଥିବା ନେଇ ବୟାନ ଦେଇଛନ୍ତି ଆହତ ହୋଇଥିବା ବ୍ୟକ୍ତି । ଏନେଇ ଯେତେବେଳେ ସେମାନେ ଜିଲ୍ଲାପାଳଙ୍କୁ ଯୋଗାଯୋଗ କଲେ ସେତେବେଳେ ଲିଖିତ ଭାବେ ଅଭିଯୋଗ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ପୂର୍ବରୁ ମଧ୍ୟ ଅଧିକାରୀଙ୍କୁ ଧମକ୍ ଓ ଗାଳି ଦେଇ ବିବାଦୀୟ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।