କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଫେସବୁକ୍ ପୋଷ୍ଟକୁ ନେଇ ଚର୍ଚ୍ଚା । କଟାକ୍ଷ କଲେ ଲୋକ । ରାଗିଗଲେ ବିଶ୍ୱେଶ୍ୱର, ଧମକପୂର୍ଣ୍ଣ ଶୈଳୀରେ ଦେଲେ ଉତ୍ତର ।

703

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀଙ୍କ ଫେସବୁକ୍ କମେଣ୍ଟକୁ ନେଇ ସବୁ ଆଡେ ଚର୍ଚ୍ଚା । ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ ଫେସବୁକ ପୋଷ୍ଟରେ ସାଧାରଣ ଲୋକ ଦେଇଥିବା କମେଣ୍ଟକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛନ୍ତି ମନ୍ତ୍ରୀ । ପ୍ରଶ୍ନ ପଚାରିଥିବା ଓ କଟାକ୍ଷ କରିଥିବା ୟୁଜର୍ସଙ୍କୁ ଧମକପୂର୍ଣ୍ଣ ଉତ୍ତର ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।

  • ଫେସବୁକ୍ ପୋଷ୍ଟରେ ବିଶ୍ୱେଶ୍ୱରଙ୍କୁ ବିରୋଧ
  • ରାଗିକି ମନ୍ତ୍ରୀ ଦେଲେ ଧମକପୂର୍ଣ୍ଣ ରିପ୍ଲାଇ !

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ନିଜ ଫେସବୁକରେ ସାଧାରଣ ଜନତାଙ୍କୁ ଦେଇଛନ୍ତି କିଛି ଉତ୍ତର । ମନ୍ତ୍ରୀଙ୍କ ପୋଷ୍ଟରେ କମେଣ୍ଟ କରିଥିବା ରଶ୍ମୀ ରଞ୍ଜନ ଦାସ ନାମକ ବ୍ୟକ୍ତିଙ୍କୁ ସେ ଉତ୍ତର ଦେଇ କହିଛନ୍ତି, ତୁ ଖାଇବୁ ଜଣାଗଲାଣି । ସେହିପରି ଅନ୍ୟଜଣେ ୟୁଜରଙ୍କୁ ମନ୍ତ୍ରୀ ଲେଖିଛନ୍ତି ତୋତେ ବେଶୀ ଲେଖି ଆସେ, ଅପେକ୍ଷା କର ପିଠି ଚମଡା ଉତରେଇ ଦିଆଯିବ । ଟୁଡୁଙ୍କ ଏକ ପୋଷ୍ଟ ଉପରେ ପ୍ରଶ୍ନ ଉଠାଇଥିବା ପ୍ରତ୍ୟେକ ୟୁଜରଙ୍କୁ ସେ ଦେଇଥିବା ଉତରରେ କେଉଁଠି ତାଙ୍କ କ୍ରୋଧ ପ୍ରତିଫଳିତ ହେଉଛି ତ ଆଉ କେଉଁଠି ସେ ଧମକ ଦେବା ଶୈଳୀରେ ଲେଖିଥିବା ସ୍ପଷ୍ଟ ବାରି ହେଉଛି । ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସାମାଜିକ ଗଣମାଧ୍ୟମରେ ଏମିତି ରିପ୍ଲାଇକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁରରେ ପ୍ରସ୍ତାବିତ ବିମାନବନ୍ଦରକୁ ନେଇ ବିଶ୍ୱେଶ୍ୱର କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଭେଟିବା ପରେ ନିଜ ଫେସବୁକରେ ଏ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଅନେକ ପ୍ରଶ୍ନ ପଚାରିବା ସହ କଟାକ୍ଷ କରିଥିଲେ କିଛି ସାଧାରଣ ଲୋକ । ଆଉ ଏ ସମସ୍ତ ବିରୋଧର ଉତ୍ତର ଦେଇଛନ୍ତି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ତେବେ ବିଶ୍ୱେଶ୍ୱର ଫେସବୁକରେ କଣ ଯିଏ ଯାହା ଚାହିଁବ ତାହା ଲେଖିପାରିବ ଓ ତାଙ୍କ ବିରୋଧରେ ଲେଖିବାକୁ କିଏ ଅଧିକାର ଦେଲା ବୋଲି ପ୍ରଶ୍ନ କରିଛନ୍ତି ।

ରାଜନୀତି କ୍ଷେତ୍ରରେ ଏବେ ସୋସିଆଲ ମିଡିଆର ଗୁରୁତ୍ୱ ବଢିଯାଇଛି । କେନ୍ଦ୍ରୀୟ ନେତାଙ୍କଠାରୁ ଆରମ୍ଭ କରି ତୃଣମୂଳ ସ୍ତରର କର୍ମୀ ମଧ୍ୟ ନିଜର ପ୍ରଚାର ପ୍ରସାର ପାଇଁ ଏହାକୁ ବହୁଳ ବ୍ୟବହାର କରୁଛନ୍ତି । ତେଣୁ ସୋସିଆଲ ମିଡିଆରେ ବିରୋଧାଭାସର ସାମ୍ନା କରିବା କିଛି ନୂଆ କଥା ନୁହେଁ । କିନ୍ତୁ ଜଣେ କେନ୍ଦ୍ରମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଏମିତି ଉତର ରଖିବା କେତେଦୂର ସ୍ପୃହଣୀୟ ବୋଲି ପ୍ରଶ୍ନ ଉଠିଛି ।