କେନ୍ଦ୍ରମନ୍ତ୍ରୀଙ୍କ ହେଲା ପଦୋନ୍ନତି : ଟେରିଟୋରିଆଲ ଆର୍ମିରୁ କ୍ୟାପଟେନ ହେଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

100

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ‘ଟେରିଟରିୟାଲ୍‌ ଆର୍ମି’ର କ୍ୟାପ୍‌ଟେନ୍‌ ଭାବେ ନିଯୁକ୍ତି ପାଇଛନ୍ତି । ସାଂସଦ ଥିବା ଅବସ୍ଥାରେ ଏଭଳି ପଦବୀରେ ନିଯୁକ୍ତି ପାଇବାରେ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି । ହିମାଚଳ ପ୍ରଦେଶର ହାମିପୁରରୁ ବିଜେପି ସାଂସଦ ଭାବେ ଚାରି ଥର ବିଜୟୀ ହୋଇଥିବା ଠାକୁରଙ୍କୁ ଜୁଲାଇ ୨୦୧୬ରେ ଚିଫ୍‌ ଅଫ୍‌ ଆର୍ମି ଷ୍ଟାଫ୍‌ (ସିଓଏଏସ୍‌) ଜେନେରାଲ୍‌ ଦଲବୀର ଏସ୍‌ ସୁହାଗ ଜଣେ ଲେଫ୍‌ଟ୍‌ନାଣ୍ଟ୍‌ ଭାବେ ନିଯୁକ୍ତି ଦେଇଥିଲେ । ଏବେ ଠାକୁରଙ୍କୁ ୧୨୪ ଶିଖ୍‌ ରେଜିମେଣ୍ଟ୍‌ର କ୍ୟାପ୍‌ଟେନ୍‌ ଭାବେ ପଦୋନ୍ନତି ମିଳିଛି ।

ଠାକୁର କହନ୍ତି, ତାଙ୍କ ଜେଜେ ଓ ଜେଜେଙ୍କ ବାପା ମଧ୍ୟ ସେନାବାହିନୀରେ କାର୍ଯ୍ୟ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ସଶସ୍ତ୍ରବାହିନୀରେ କାର୍ଯ୍ୟ କରିବାର ପୁରୁଣା ପରମ୍ପରା ଥିବା ଦେବଭୂମି ହିମାଚଳର ବାସିନ୍ଦା ମୁଁ । ମୋ ପୂର୍ବଜମାନଙ୍କର ଏହି ଦାୟିତ୍ୱ ବହନ କରି ମୁଁ ଆନନ୍ଦିତ । ‘ୟୁନିଫର୍ମ’ ପରିଧାନ କରିବା ପାଇଁ ଏଇଟା ଏକ ଅବସର ।

ସେ ପୁଣି କହିଛନ୍ତି, ଜଣେ ସାଂସଦ ଭାବେ ସମାଜ ସେବା କରିବା ତାଙ୍କ ପାଇଁ ଗୌରବର କଥା। ତା’ଛଡ଼ା, ‘ଟେରିଟରିଆଲ୍‌ ଆର୍ମି’ର ତାଙ୍କ ରେଜିମେଣ୍ଟ୍‌ରୁ ଡାକରା ଆସିଲେ ଦେଶ ସେବା କରିବାକୁ ମଧ୍ୟ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ଚଣ୍ଡିଗଡ଼ରେ ହୋଇଥିବା ‘ଏସ୍‌ଏସ୍‌ବି’ ପରୀକ୍ଷା ଓ ବ୍ୟକ୍ତିଗତ ସାକ୍ଷାତ୍‌କାରରେ ଉତ୍ତୀର୍ଣ୍ଣ ହୋଇ ଠାକୁର ସେନାରେ ଯୋଗ ଦେଇଥିଲେ ।