ପେଟ୍ରୋଲିୟମ ମନ୍ତ୍ରଣାଳୟର ସ୍ୱଚ୍ଛତା ଅଭିଯାନ ସମାରୋହରେ ଧର୍ମେନ୍ଦ୍ର ପ୍ରଧାନ । ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳିରେ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରିବାକୁ ଦେଲେ ପରାମର୍ଶ

66

କନକ ବ୍ୟୁରୋ : ପେଟ୍ରୋଲିୟମ ମନ୍ତ୍ରଣାଳୟର ସ୍ୱଚ୍ଛତା ପାଖୱାଡ଼ା ପାଇଁ ସୋମବାର ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ବିଭାଗୀୟ ମନ୍ତ୍ରଣାଳୟର ରାଷ୍ଟ୍ରାୟତ କମ୍ପାନୀ ଗୁଡ଼ିକୁ ପୁରସ୍କୃତ କରିବା ସହ ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳି ଏବଂ ସମସ୍ତ ତୀର୍ଥସ୍ଥାନରେ ଅତ୍ୟାଧୁନିକ ଶୌଚାଳୟ ନିର୍ମାଣ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱଚ୍ଛତାକୁ ଜନ ଆନ୍ଦୋଳନରେ ପରିଣତ କରିଥବା ବେଳେ ଏଥିରେ ଗ୍ରାମାଞ୍ଚଳ, ସହରାଞ୍ଚଳ ଏବଂ ସମାଜର ପ୍ରତ୍ୟେକ ନାଗରିକ ସାମିଲ ହୋଇଛନ୍ତି । ପେଟ୍ରୋଲିୟମ ମନ୍ତ୍ରଣାଳୟ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇ ଏହାକୁ ବ୍ୟାପକ କରିବାରେ ଅନ୍ୟତମ ଭୂମିକା ଗ୍ରହଣ କରିଛି । ୨୦୨୨କୁ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ହେବ । ଏହି ସମୟ ସୁଦ୍ଧା ଆମକୁ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବାକୁ ହେବ ।

ଏହି ଅବସରରେ ଶ୍ରୀ ପ୍ରଧାନ ସ୍ୱଚ୍ଛ ଭାରତ ଅଭିଯାନରେ ଅଧିକରୁ ଅଧିକ ବେସରକାରୀ ତୈଳ ଓ ଗ୍ୟାସ କମ୍ପାନୀମାନେ ସାମିଲ ହେବା ପାଇଁ ଆହ୍ୱାନ କରିଛନ୍ତି । ଉଲ୍ଲେଖନୀୟ ଯେ, ସ୍ୱଚ୍ଛତା ପାଖୱାଡ଼ା ଏବଂ ସ୍ୱଚ୍ଛତା ହିଁ ସେବା ଅଭିଯାନ ପାଇଁ ଶ୍ରୀ ପ୍ରଧାନ ରାଷ୍ଟ୍ରାୟତ ତୈଳ ଓ ଗ୍ୟାସ ଉଦ୍ୟୋଗ ଗୁଡିକୁ ପୁରସ୍କାର ପ୍ରଦାନ କରିଥିଲେ । ସ୍ୱଚ୍ଛତା ପାଖୱାଡାରେ ଆଇଓସିଏଲ, ବିପିସିଏଲ ଏବଂ ଓଏନଜିସି କ୍ରମାଗତ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପାଇଥିବା ବେଳେ ଏଚପିସିଏଲ ସ୍ୱତନ୍ତ୍ର ପୁରସ୍କାର ଗ୍ରହଣ କରିଥିଲା ।

ସେହିପରି ସ୍ୱଚ୍ଛତା ହିଁ ସେବାରେ ଏଚପିସିଏଲ ପ୍ରଥମ, ବିପିସିଏଲ ଦ୍ୱିତୀୟ ଓ ଆଇଓସିଏଲ ତୃତୀୟ ପୁରସ୍କାର ପାଇଥିଲା । ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକକୁ ଦୂର କରିବା ସହିତ ସ୍ୱଚ୍ଛତାର ବିଭିନ୍ନ ଦିଗ ଉପରେ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ ପାଇଁ ଶ୍ରୀ ପ୍ରଧାନ ସ୍ୱଚ୍ଛତା ହିଁ ସେବା -୨୦୧୯ ଏବଂ ସ୍ୱଚ୍ଛତା ପାଖୱାଡ଼ାର ବିଜେତାମାନଙ୍କୁ ପ୍ରଶଂସା କରିଥିଲେ ।