କନକ ବ୍ୟୁରୋ : ସୁପ୍ରିମକୋର୍ଟ ଆଇବି ଏବଂ ‘ର’ ଅଧିକାରୀଙ୍କ ତଥ୍ୟ ସାର୍ବଜନୀନ କରିବାକୁ ନାପସନ୍ଦ କରିଛନ୍ତି କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜଜୁ । ଏପରି କରିବା ଅତ୍ୟନ୍ତ ଚିନ୍ତାର ବିଷୟ । ଏହା ଉପରେ ସେ ଠିକଣା ସମୟରେ ଜବାବ ରଖିବେ ବୋଲି କହିଛନ୍ତି । ଏବେ ପ୍ରତିକ୍ରିୟା ରଖିବା ଉପଯୁକ୍ତ ସମୟ ନୁହେଁ ବୋଲି ସେ କହିଛନ୍ତି । ଦେଶ ପାଇଁ ନିଜ ପରିଚୟକୁ ବଦଳାଇ କିମ୍ବା ଗୁପ୍ତ ରଖି ଅତ୍ୟନ୍ତ ସମ୍ବେଦଶୀଳ ଅଂଚଳରେ କାମ କରୁଥିବା ଅଫିସରଙ୍କ ତଥ୍ୟକୁ ସାର୍ବଜନୀନ କରାଗଲେ ଆଗାମୀ ଦିନରେ ସେମାନେ ତଥ୍ୟ ଦେବା ପୂର୍ବରୁ ଚିନ୍ତା କରିବେ । ଏହାର ପ୍ରଭାବ ମଧ୍ୟ ପଡ଼ିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଗତ ସପ୍ତାହରେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ କଲେଜିୟମ ସୁପ୍ରିମକୋର୍ଟ ୱେବସାଇଟରେ କେନ୍ଦ୍ର ସରକାର କାହିଁକି ୩ ଜଣ ଆଶାୟୀଙ୍କୁ ବିଚାରପତି ଭାବେ ପ୍ରମୋସନ ଦେବାକୁ ଚାହୁଁନାହାନ୍ତି, ତା’ର ତଥ୍ୟ ସାର୍ବଜନୀନ କରିଥିଲେ । ଏହାପରେ ଆଇନ୍ ମନ୍ତ୍ରୀ ଏପରି ବୟାନ ରଖିଛନ୍ତି । ପ୍ରଧାନ ବିଚାରପତି ନ୍ୟାୟପାଳିକାର ମୁଖ୍ୟ । ସେ ସରକାର ଓ ନ୍ୟାୟପାଳିକା ମଧ୍ୟରେ ଜଣେ ସେତୁ । ତେଣୁ ଏକାଠି ହୋଇ କାମ କରିବାକୁ ହେବ ବୋଲି ସେ କହିଛନ୍ତି । ସେହିପରି ଦେଶରେ ୪.୯୦ କୋଟି ମାମଲା ପଡି ରହିଛି । ଏହାର ଅର୍ଥ ବିଳମ୍ବରେ ମିଳୁଥିବା ନ୍ୟାୟ, ନ୍ୟାୟ ନମିଳିବା ସହିତ ସମାନ ବୋଲି କିରଣ ରିଜଜୁ କହିଛନ୍ତି । ତେବେ ସୁପ୍ରିମକୋର୍ଟ ଦ୍ୱାରା ପ୍ରସ୍ତାବିତ ଇ-କମିଟି ଗଠନ ଦ୍ୱାରା ଅନେକ ମାମଲାର ସମାଧାନ କରି ହେବ ବୋଲି ସେ କହିଛନ୍ତି । ଆଗାମୀ ଦିନରେ କେନ୍ଦ୍ର କ୍ୟାବିନେଟ ଏହି ଇ-କମିଟି ପ୍ରସ୍ତାବକୁ ମଂଜୁରୀ ଦେବ ବୋଲି ସେ କହିଛନ୍ତି ।

Advertisment