ବେରୋଜଗାରଙ୍କୁ ମିଳିବ ଭତ୍ତା । ଜାଣନ୍ତୁ, କେଉଁ ମାନଙ୍କ ପାଇଁ ଆସିଲା ଏହି ନୂଆ ଯୋଜନା ।

4,062

କନକ ବ୍ୟୁରୋ: କରୋନା କାଳରେ ଚାକିରି ହରାଇଥିବା ଲୋକଙ୍କ ପାଇଁ ବଡ ଖବର । ଶ୍ରମ ମନ୍ତ୍ରାଳୟ ଅଧୀନରେ ଥିବା କର୍ମଚାରୀଙ୍କ ପାଇଁ ଏବେ ରାଜ୍ୟ ବୀମା ନିଗମ ତରଫରୁ ଚଲାଯାଉଥିବା ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନାକୁ ବଢାଇ ଦିଆଯାଇଛି । ଏବେ ୨୦୨୨ ଜୁନ୍ ମାସ ପର୍ଯ୍ୟନ୍ତ ଏହି ଯୋଜନାରେ ଆବେଦନ କରି ହିତାଧିକାରୀମାନେ ଏହାର ଲାଭ ଉଠାଇବା ସହିତ ଭତ୍ତା ପାଇପାରିବେ । କରୋନା କାଳରେ ଲୋକଙ୍କ ସୁବିଧା ପାଇଁ ଇଏସଆଇସିର ୧୮୫ ତମ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ତେବେ ଏହି ଯୋଜନାର ଲାଭ ସେଇମାନେ ଉଠାଇ ପାରିବେ, ଯେଉଁମାନେ କୋଭିଡ୍ କାଳରେ ନିଜର ଚାକିରି ହରାଇଛନ୍ତି । ଏଥିପାଇଁ ସେମାନେ ଆବେଦନ କରିବା ପରେ ଇଏସଆଇସି ତରଫରୁ ସେମାନଙ୍କୁ ଆର୍ଥିକ ସୁବିଧା ଯୋଗାଇ ଦିଆଯିବ । ଖାଲି ସେତିକି ନୁହେଁ, ଆର୍ଥିକ ସୁବିଧା ସହିତ ଛଅ ମାସ ପାଇଁ ଆବେଦକ ଓ ତାଙ୍କ ପରିବାର ଲୋକଙ୍କୁ ମେଡିକାଲ ସୁବିଧା ମଧ୍ୟ ମିଳିବ ବୋଲି ନିଷ୍ପତ୍ତି ନିଆଯାଇଛି ।

ଏହି ଯୋଜନା ଅଧିନରେ ଲାଭାର୍ଥୀମାନଙ୍କୁ ଦରମାର ୫୦ ପ୍ରତିଶତ ସହାୟତା ମିଳିବ । ତେବେ ଏହି ୩ ମାସ ଭିତରେ ଚାକିରି ହରାଇଥିବା ବ୍ୟକ୍ତିଙ୍କୁ ଚାକିରି ମିଳିଗଲେ ଏହି ସୁବିଧା ତାଙ୍କୁ ମିଳିବା ବନ୍ଦ ହୋଇଯିବ । ତେବେ ଏହାପରେ ମଧ୍ୟ ପୁଣି ଯଦି ତାଙ୍କର ଚାକିରି ଚାଲିଯାଏ ତେବେ ଏହି ଭତ୍ତା ତାଙ୍କୁ ପୁଣି ମିଳିବ ।