କନକ ବ୍ୟୁରୋ: ଡିପଫେକ୍ ଭିଡିଓକୁ ନେଇ ସାରା ଦେଶରେ ଚାଲିଛି ବିତର୍କ । ଏହି ସମୟରେ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ସୋଶିଆଲ ମିଡିଆ କମ୍ପାନୀ ସହ ବୈଠକ କରିଛନ୍ତି । ଯେଉଁଥିରେ ଗୁଗୁଲ, ୟୁଟ୍ୟୁବ, ଫେସବୁକ ଭଳି କମ୍ପାନୀର ଅଧିକାରୀ ଉପସ୍ଥିତ ଥିଲେ ।

Advertisment

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ବୈଠକରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ସହମତି ପ୍ରକାଶ ପାଇଛି । ଗଣତନ୍ତ୍ର ପାଇଁ ଡିପଫେକ୍ ଏକ ନୂଆ ବିପଦ । ଏବଂ ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସରକାର ଅନୁଭବ କରୁଛନ୍ତି । କେନ୍ଦ୍ର ସରକାର ଏହି ପ୍ରସଙ୍ଗକୁ ଗୁରୁତର ସହ ନେଇଛନ୍ତି । ଖୁବଶୀଘ୍ର ନିୟମ ଆସିବ ବୋଲି ଆଇଟି ମନ୍ତ୍ରୀ କହିଛନ୍ତି । ଏବେ ଏହା ବିରୁଦ୍ଧରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି । ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଧାନା, ସାରା ଅଲ୍ଲୀ ଖାନ୍, କାଜୋଲ, କ୍ୟାଟ୍ରିନା କୈଫଙ୍କ ଡିପଫେକ୍ ଭିଡିଓ ସାମ୍ନାକୁ ଆସିଥିଲା ।

ସେହିପରି କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲଙ୍କର ଏକ ଡିପଫେକ୍ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ କ୍ରିକେଟର ଶୁଭମାନ ଗିଲଙ୍କ ସହ ଛିଡା ହୋଇଥିବା ଦେଖିବାକୁ ମିଳିଛି । କିନ୍ତୁ ଏହା ସାରାଙ୍କର ଡିପଫେକ୍ ଭିଡିଓ ବୋଲି ଜଣାପଡିଛି । କାରଣ ସାରାଙ୍କର ଅରିଜିନାଲ ଫଟୋରେ ସେ ତାଙ୍କ ଭାଇ ଅର୍ଜୁନ ତେନ୍ଦୁଲକରଙ୍କ ସହ ଫଟୋ ଉଠାଇଥିଲେ । ଏବେ ସାରା ଅଲ୍ଲି ଖାନ ସୋଶିଆଲ ମିଡିଆରେ ଏକ ପୋଷ୍ଟ କରି ଅସନ୍ତୋଷ ପ୍ରକାଶ କରିଛନ୍ତି ।