ତାଲବନ୍ଦ ଯୋଗୁଁ ଫସିଥିବା ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ରାଜ୍ୟ ଭିତରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବେ ଶ୍ରମିକ, ସ୍କ୍ରିନିଂ କରି ରାଜ୍ୟ ଭିତରେ ଚଳପ୍ରଚଳ ପାଇଁ ଦିଆଯିବ ଅନୁମତି ।

1,761

କନକ ବ୍ୟୁରୋ: ତାଲାବନ୍ଦ ଯୋଗୁଁ ଫସି ରହିଥିବା ଶ୍ରମିକଙ୍କ ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟର ବଡ ନିଷ୍ପତି । ରାଜ୍ୟ ଭିତରେ ଶ୍ରମିକଙ୍କ ଯିବା ଆସିବା ନେଇ ଏସଓପି ଜାରି କରିଛନ୍ତି କେନ୍ଦ୍ର ସରକାର । ଏହି ନିୟମ ଆସନ୍ତାକାଲି ଠାରୁ ଲାଗୁ ହେବ । ଶ୍ରମିକଙ୍କୁ ଶିଳ୍ପ, ନିର୍ମାଣ, ଉତ୍ପାଦନ କ୍ଷେତ୍ରରେ ନିୟୋଜିତ କରାଯାଇ ପାରିବ । କୃଷି ଓ ନରେଗା କାମ ମଧ୍ୟ କରିପାରିବେ ।

ରିଲିଫ କ୍ୟାମ୍ପ କିମ୍ବା ଆଶ୍ରୟସ୍ଥଳୀରେ ଫସିରହିଥିବା ଶ୍ରମିକଙ୍କ ପଂଜିକୃତ କରାଯିବ । ରାଜ୍ୟ ଭିତରେ ଶ୍ରମିକମାନେ ଚାହିଁଲେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇ ପାରିବେ । ତେବେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଶ୍ରମିକମାନେ ଯାଇପାରିବେ ନାହିଁ । ଏହାଛଡା କେନ୍ଦ୍ର ସରକାର ଜାରି କରିଥିବା ଏହି ନିୟମ ଅବରୋଧ ଅଂଚଳର ଶ୍ରମିକଙ୍କ ପାଇଁ ମଧ୍ୟ ଲାଗୁ ହେବ ନାହିଁ ।

ସବୁଠାରୁ ବଡ଼ କଥା ହେଲା, କରୋନା ଲକ୍ଷଣ ନଥିବା ଶ୍ରମିକଙ୍କୁ ସ୍କ୍ରିନିଂ କରି ରାଜ୍ୟ ଭିତରେ ଚଳପ୍ରଚଳ ପାଇଁ ଅନୁମତି ଦିଆଯିବ । ତେବେ ବସରେ ଶ୍ରମିକଙ୍କ ଯାତ୍ରା ସମୟରେ ସାମାଜିକ ଦୂରତା ରକ୍ଷା କରାଯିବ । ଯାତ୍ରା ପୂର୍ବରୁ ଗନ୍ତବ୍ୟସ୍ଥଳରେ ପହଂଚିବା ପରେ ବସ ଗୁଡିକୁ ବିଶୋଧିତ କରାଯିବ । ସ୍ଥାନୀୟ କର୍ତୃପକ୍ଷ ଖାଇବା ଓ ପାଣି ଯୋଗାଇଦେବେ ଶ୍ରମିକମାନଙ୍କୁ ।