କରୋନା ସ୍ଥିତିକୁ ନେଇ ଉଚ୍ଚସ୍ତରୀୟ ବୈଠକ: ଦିଲ୍ଲୀରେ କରୋନା ମହାମାରୀର ଭୟାବହତାକୁ ନେଇ ଅରବିନ୍ଦ କେଜରିୱାଲଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଆଲୋଚନା

228

କନକ ବ୍ୟୁରୋ: ଦିଲ୍ଲୀରେ କରୋନା ସ୍ଥିତିକୁ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟର ଉଚ୍ଚସ୍ତରୀୟ ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ସହ ଦିଲ୍ଲୀରେ ବଢି ଚାଲିଥିବା କରୋନା ସଂକ୍ରମଣକୁ ନେଇ ଆଲୋଚନା କରିଛନ୍ତି । ମାରାତ୍ମକ ଭୂତାଣୁ ସଂକ୍ରମଣର ମୁକାବିଲା ପାଇଁ କି ପଦକ୍ଷେପ ନିଆଯିବ । କେନ୍ଦ୍ର ଓ ରାଜ୍ୟ ସରକାର ସମେତ ଦିଲ୍ଲୀ ଏମସିଡି ମଧ୍ୟରେ କରୋନା ମୁକାବିଲା ନେଇ କିପରି ସମନ୍ୱୟ ରକ୍ଷା କରାଯାଇ ପାରିବ ସେ ଉପରେ ଚର୍ଚ୍ଚା ହୋଇଛି । ବର୍ତମାନ ଦିଲ୍ଲୀରେ ଦିନକୁ ୨ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି । ଦେଶର ରାଜଧାନୀରେ କରୋନା ସ୍ଥିତି ବିଗିଡିବା ପାଇଁ କେନ୍ଦ୍ର, ରାଜ୍ୟ ଓ ଏମସିଡି ମଧ୍ୟରେ ତାଳମେଳର ଅଭାବକୁ ଦାୟୀ କରାଯାଉଛି ।

କାରଣ ପ୍ରଶାସନିକ ବ୍ୟବସ୍ଥାରେ ତାଳମେଳ ରହୁନଥିବାରୁ କରୋନା ମୁକାବିଲା ପରିଚାଳନା ଠିକରେ ହେଉନି ଓ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଚର୍ଚ୍ଚା ହେଉଛି । ଏସବୁ ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ବୈଠକରେ କେନ୍ଦ୍ର ସ୍ୱାସ୍ଥ୍୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ, ଦିଲ୍ଲୀ ଏମସର ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ, ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ ଓ ଗୃହମନ୍ତ୍ରାଳୟର ଅଧିକାରୀ ସାମିଲ ହୋଇଥିଲେ । ଦିଲ୍ଲୀ ସରକାରଙ୍କ ସହ ଆଲୋଚନା କରିଥିବା ଗୃହମନ୍ତ୍ରୀ ଆଜି ସଂଧ୍ୟାରେ ଦିଲ୍ଲୀ ଏମସିଡିର ସମସ୍ତ ମେୟରଙ୍କ ସହ ମଧ୍ୟ ବୈଠକ କରିବେ ବୋଲି ସୂଚନା ମିଳିଛି ।