କନକ ବ୍ୟୁରୋ : ବାତ୍ୟା ବିପର୍ଯ୍ୟୟ । ଆରବ ସାଗରରେ ଜୁନ ୬ ତାରିଖରୁ ସୃଷ୍ଟି ହୋଇଥିବା ବାତ୍ୟାକୁ ନେଇ ବିଭିନ୍ନ ଆଶଙ୍କା କରାଯାଉଥିଲା । ଜୁନ ୧୫ରେ ଗୁଜରାଟ ଉପକୂଳ ଅତିକ୍ରମ କରିବା ସମୟରେ ତାର ଭୟାବହତା ଦେଖିବାକୁ ମିଳିଛି ଯାହା ଆକଳନ କରାଯାଉଥିଲା ତାଠୁ ବେଶୀ କ୍ଷତି କରିଛି ବାତ୍ୟା ବିପର୍ଯ୍ୟୟ । ହଜାରରୁ ଅଧିକ ଗାଁ ଏବେ ବି ଅନ୍ଧାର ଘେରରେ ରହିଛି । କେଉଁଠି ପାଣି ଘେରରେ ଫଶିଛି ଜନଜବୀନ ତ ପୁଣି କେଉଁଠି ରାସ୍ତାକୁ ଅବରୋଧ କରି ରଖିଛି ଭାଙ୍ଗିପଡିଥିବା ବିଶାଳ ଗଛ ।
ଦୁଃଖ ଦେଇଗଲା ବାତ୍ୟା
-ଗୁଜରାଟର ୯ ଜିଲ୍ଲା ସବୁଠୁ ଅଧିକ ପ୍ରଭାବିତ
-ଏକ ଲକ୍ଷରୁ ଅଧିକ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର
-୫୧୨୦ ବିଦ୍ୟୁତ ଖୁଂଟ ଭାଙ୍ଗିପଡିଛି
-୩୪୩ ମୋବାଇଲ ଟାୱାର କ୍ଷତିଗ୍ରସ୍ତ
-୧ହଜାରରୁ ଅଧିକ ଗାଁ ଅନ୍ଧାର ଭିତରେ ରହିଛି
-୫ଶହରୁ ଅଧିକ ଘର କ୍ଷତିଗ୍ରସ୍ତ
-୨୭ଜଣ ଆହତ ଓ ୨ଜଣଙ୍କ ମୃତ୍ୟୁ ସୂଚନା
-୧୧୭୧ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର
-ବାତ୍ୟା ବେଳେ ଜନ୍ମ ନେଲେ ୭୦୭ ଶିଶୁ
ବାତ୍ୟାର ପ୍ରଭାବ ସମ୍ପୂର୍ଣ୍ଣଭାବେ ଶେଷ ହୋଇନି । ଶନିବାର ଓ ରବିବାର ରାଜ୍ୟର ବିିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିବ ବୋଲି କହିଛି ଆଇଏମଡି । ବାତ୍ୟା ପରେ ଗୁଜରାଟର ସ୍ଥିତି କଣ ରହିଛି ଏହାକୁ ଦେଖିବାକୁ ଶନିବାର ଏଠାରେ ପହଁଚି ସ୍ଥିତିର ସମୀକ୍ଷା କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଗୃହମନ୍ତ୍ରୀ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳକୁଗଡିକୁ ଦେଖିଛନ୍ତି । ସେପଟେ ସିଭିଲ ଡାକ୍ତରଖାନାରେ ପହଁଚି ବନ୍ୟାରେ ପ୍ରଭାବିତ ଲୋକଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଛନ୍ତି ଅମିତ ଶାହା ।
ବାତ୍ୟା ପାଇଁ ଯାତାୟତ ବେଶ ବାଧାପ୍ରାପ୍ତ ହୋଇଛି । ୧୭ତାରିଖଠୁ ବିମାନ ଚଳାଚଳ ସ୍ୱଭାବିକ ହେବ । ସେପଟେ ୧୦୧ ଟ୍ରେନ ବାତିଲ ହେବା ସହ ୪୨ ଟ୍ରେନର ରୁଟ ପରିବର୍ତନ ରହିଛି । ୧୯୯୮ ଓ ୨୦୨୧ ମସିହା ପରେ ଗୁଜରାଟ ଏବେ ଏହି ଭୟଙ୍କର ବାତ୍ୟା ଦେଖିଛି ।