ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକାକରଣର ଦ୍ୱିତୀୟ ଦିନ : ଟିକା ନେଲେ ଚିହ୍ନା ଚେହେରା

ବିଧାନସଭା ଡିସପେନସାରୀରେ ଟିକା ନେଲେ କଂଗ୍ରେସ ବିଧାୟକ ସୁର ରାଉତରାୟ ଓ ପତ୍ନୀ; ଦିଲ୍ଲୀରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦିଆଗଲା ଟିକା

268

କନକ ବ୍ୟୁରୋ : ରାଜ୍ୟରେ ଟିକା କରଣ ପ୍ରକ୍ରିୟା ଭଲ ଭାବରେ ଚାଲିଛି । ଟିକା ନେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତ ରାୟ । କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟର ଦ୍ୱିତୀୟ ଦିନରେ ବିଧାନସଭା ଡିସପେନସାରୀରେ ଟିକା ନେଇଛନ୍ତି ସୁର । ସୁରଙ୍କ ସହ ତାଙ୍କ ପତ୍ନୀ ମଧ୍ୟ କରୋନା ଟିକା ନେଇଛନ୍ତି । ସେପଟେ ଆଜି ଦିଲ୍ଲୀରେ କରୋନା ଟିକା ନେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହଷବର୍ଦ୍ଧନ । ଦିଲ୍ଲୀ ସ୍ଥିତ ହାର୍ଟ ଆଣ୍ଡ ଲଙ୍ଗ ଇନଷ୍ଟିଚ୍ୟୁଟରେ ଆଜି ସକାଳୁ ପତ୍ନୀଙ୍କ ସହ ପହଂଚିଥିଲେ ଡକ୍ଟର ହଷବର୍ଦ୍ଧନ । ଏଠାରେ ତାଙ୍କୁ କରୋନା ଟିକାର ପ୍ରଥମ ଡୋଜ ଦିଆଯାଇଛି ।

କରୋନା ଟିକା ନେବା ପାଇଁ ବିଧାନସଭା ଡିସପେନସରୀରେ ପହଂଚିଥିଲେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ । ହେଲେ ତାଙ୍କୁ ଟିକା ନଦେଇ ଫେରାଇ ଦିଆଯାଇଛି । ତାଙ୍କର ବୟ ୪୮ ବର୍ଷ ହୋଇଥିଲେ ମଧ୍ୟ କୌଣସି ଜଟିଳ ରୋଗରେ ପୀଡ଼ିତ ନଥିବାରୁ ନିୟମ ଅନୁଯାୟୀ ତାଙ୍କୁ ଟିକା ଦିଆଯାଇ ନାହିଁ ।

ଟିକାକରଣ ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି ଧାର୍ଯ୍ୟ ଲକ୍ଷ୍ୟରୁ ଅଧିକ ଟିକା କରଣ ହୋଇଛି । ରାଜ୍ୟର ନିର୍ଦ୍ଧାରିତ ଘରୋଇ ହସ୍ପିଟାଲରେ ୨୫୦ ଟଙ୍କାରେ ଟିକା ପ୍ରଦାନ କରାଯାଉଛି । ଗତକାଲି ୬୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ୧୧ ହଜାର ୨୮୯ ଟିକାକରଣ କରାଯାଇଛି । ୪୫ରୁ ୫୯ ବର୍ଷ ଯାଏ ୩୦୦ଜଣଙ୍କୁ ଟିକା ଦିଆଯାଇଛି । ବୟସ୍କଙ୍କୁ ଅନଲାଇନ ଓ ଅଫଲାଇନରେ ଟିକା ଦିଆଯାଇଛି ।

ଗତକାଲି ସମୁଦାୟ ମୋଟ ୧୧ହଜାର ୫୮୯ଜଣଙ୍କ କରୋନା ଟିକା ଦିଆଯାଇଛି । ସେହିପରି ୧ ହଜାର ୪୧ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ ଟିକା ନେଇଥିବା ବେଳେ ୬ ହଜାର ୮୬୦ ସ୍ୱାସ୍ଥ୍ୟକର୍ମୀ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି । ୨ ହଜାର ୪୨୪ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ ଟିକା ନେଇଥିବା ବେଳେ ସମୁଦାୟ ୧୦ ହଜାର ୩୨୫ ଯୋଦ୍ଧା କରୋନା ଟିକା ନେଇଛନ୍ତି । କାହାରି ପାଖରେ ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଇନଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।