କନକ ବ୍ୟୁରୋ : କରୋନା ମହାମାରୀରେ ପ୍ରଭାବିତ ହୋଇଥିବା ପିଲାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡରୁ ଅନେକ କଲ୍ୟାଣକାରୀ ଯୋଜନା ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଆସନ୍ତାକାଲି ମୋଦି ସରକାରକୁ ୭ ବର୍ଷ ପୂରଣ ହେଉଥିବାରୁ ଏହା ପୂର୍ବ ସଂନ୍ଧ୍ୟାରେ ଏଭଳି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ପ୍ରଧାନମନ୍ତ୍ରୀଙ୍କ ଘୋଷଣା ମୁତାବକ କରୋନା ମହାମାରୀରେ ପିତା ଓ ମାତାଙ୍କୁ ହରାଇ ଅନାଥ ହୋଇଥିବା ପିଲାମାନଙ୍କୁ ୧୮ ବର୍ଷ ହେବା ଯାଏ ମାସିକ ଭତ୍ତା ଦେବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀଙ୍କ ତରଫରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି କି, ‘ପିଏମ୍ କେୟାର୍ସ ଫର ଚିଲଡ୍ରେନ’ ସୌଜନ୍ୟରେ କୋଭିଡ ପ୍ରଭାବିତ ପିଲାଙ୍କୁ ସମର୍ଥନ ଓ ସେମାନଙ୍କ ସଶକ୍ତ କରିବାକୁ ପଦକ୍ଷେପ ନିଆଯାଉଛି ।
Prime Minister announced that all children who have lost both parents or guardian due to #COVID19 will be supported under ‘PM-CARES for Children’ scheme. Such children to get a monthly stipend once they turn 18 and a fund of Rs 10 lakh when they turn 23 from PM CARES: PMO
— ANI (@ANI) May 29, 2021
ସରକାର ଏହି ପିଲାମାନଙ୍କ ସହିତ ଥିବା କଥା କୁହାଯାଇଥିବା ବେଳେ ପ୍ରେସ ନୋଟ୍ ରେ କୁହାଯାଇଛି କି ଯେଉଁ ପିଲାମାନେ କୋଭିଡରେ ଅନାଥ ହୋଇଛନ୍ତି ସେମାନଙ୍କୁ ୧୮ ବର୍ଷ ପର୍ଯ୍ୟନ୍ତ ମାସିକ ଭତ୍ତା ଓ ୨୩ ବର୍ଷରେ ପିଏମ୍ କେୟାର୍ସ ଫଣ୍ଡରୁ ୧୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ । ଏହା ସହ କରୋନା ମହାମାରୀରେ ଅନାଥ ହୋଇଥିବା ପିଲାମାନଙ୍କ ପାଇଁ ମାଗଣା ଶିକ୍ଷା,ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ଋଣ ଯୋଗାଇ ଦିଆଯିବ ଓ ଏହି ଶିକ୍ଷାଋଣର ସୁଧ ପିଏମ୍ କେୟାର୍ସ ଫଣ୍ଡରୁ ଭରଣା କରାଯିବ । ଅନ୍ୟପଟେ ଆୟୁଷ୍ମାନ ଭାରତ ଯୋଜନାରେ ପିଲାକୁ ୧୮ ବର୍ଷ ହେବା ଯାଏ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ର୍ୟବୀମା ମିଳିବ । ଯାହାର ପ୍ରିମିୟମ ପିଏମ୍ କେୟାର୍ସ ଫଣ୍ଡରୁ ଭରଣା କରାଯିବ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି କି, ପିଲାମାନେ ଦେଶର ଭବିଷ୍ୟତ ତେଣୁ ସେମାନଙ୍କୁ ସୁରକ୍ଷା ଓ ସୁନ୍ଦର ଭବିଷ୍ୟତ ପାଇଁ ସରକାର ସବୁକିଛି କରିବାକୁ ପ୍ରସ୍ତୁତ ।