ଶିଳାନ୍ୟାସ ପରେ ଶୋଇପଡ଼ିଲେ କେନ୍ଦ୍ର ସରକାର! ନିର୍ବାଚନ ପୂର୍ବରୁ ଭିତ୍ତିପ୍ରସ୍ତର କରିଥିଲେ ହେଲେ ୬ମାସ ପରେ ବି ପାଦେ ଆଗେଇ ପାରୁନି ପ୍ରକଳ୍ପ ।

444

କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ହେଲା ଶିଳାନ୍ୟାସ । କାର୍ଯ୍ୟକ୍ଷମ ପାଇଁ ଅଂଚଳବାସୀଙ୍କୁ ଦେଖାଗଲା ଗୋଲାପୀ ସ୍ୱପ୍ନ । ହେଲେ ନିର୍ବାଚନର ୬ମାସ ବିତିଯାଇଥିଲେ ବି ଅଂଚଳରେ ଆସିନି କୌଣସି ପରିବର୍ତ୍ତନ । ଆମେ କହୁଛୁ ରାଉରକେଲାର ସେକ୍ଟର-୧୫ରେ ହେବାକୁ ଥିବା ‘‘ଜୀବିକା ଦକ୍ଷତା ବିକାଶ କେନ୍ଦ୍ର’ର କଥା । ବଡ଼ ବଡ଼ ବାବୁଙ୍କ ଶିଳାନ୍ୟାସ ଏବଂ ବଡ଼ ବଡ଼ ପ୍ରତିଶ୍ରୁତି ପରେ ଏବେ ସେହି ପ୍ରସ୍ତାବିତ ‘ଜୀବିକା ଦକ୍ଷତା ବିକାଶ କେନ୍ଦ୍ର’ ପାଲଟିଛି ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ।

କାମରେ ଆସୁନି ‘ଦକ୍ଷତା ବିକାଶ କେନ୍ଦ୍ର’ । ଶିଳାନ୍ୟାସ ପରେ ଶୋଇ ପଡିଲେ କି ନେତା ! ସରିଲା ନିର୍ବାଚନ, ଭୁଲିଲେ ପ୍ରତିଶ୍ରୁତି । ବିକାଶ ଓ ବେରୋଜଗାରୀଙ୍କୁ ରୋଜଗାର ଦେବାକୁ କହି ଭୁଲିଗଲେ ରାଜନେତା, ଭୁଲିଗଲେ କେନ୍ଦ୍ର ସରକାର । ନିର୍ବାଚନ ପୂର୍ବରୁ ଅର୍ଥାତ ଫେବୃଆରୀ ୨୫ ତାରିଖରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଦ୍ୱାରା ‘ଜୀବିକା ଦକ୍ଷତା ବିକାଶ କେନ୍ଦ୍ର’ର ସ୍ଥାପନ ପାଇଁ ବହୁ ଆଡ଼ମ୍ବରରେ ହୋଇଥିଲା ଶିଳାନ୍ୟାସ । ବେକାରୀ ଯୁବକ ଯୁବତୀଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାକୁ ନେଇ ବେଶ ବାହାବାହା ନେଇଥିଲେ ତତକାଳୀନ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ । ଆଉ ଆଜି ଅବସ୍ଥା ଦେଖିଲେ ଲାଗୁଛି ଯୁବକଙ୍କ ରୋଜଗାର ତ ଦୂରର କଥା ଶିଳାନ୍ୟାସ ପରେ ସବୁକିଛି ପାଲଟିଛି ଶୂନ୍ୟଭୂମି ଓ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ।

‘ଜୀବିକା ଦକ୍ଷତା ବିକାଶ କେନ୍ଦ୍ର’ ପାଇଁ ଆରଏସପି ଭିତିିଭୂମି ଓ ସମସ୍ତ ସୁବିଧା ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଆଉ ଆରଏସପି ସହଭାଗିତାରେ ରାଉରକେଲା ସେକ୍ଟର-୧୫ରେ ଏହାର ସ୍ଥାପନ କରାଯିବାକୁ ସିଦ୍ଧାନ୍ତ ହୋଇଥିଲା । ଏବଂ ସେକ୍ଟର-୧୫ର ବିଦ୍ୟାଳୟର ଭିିତିଭୂମି ସଜାଡ଼ି ଏହାକୁ ‘ଜୀବିକା ଦକ୍ଷତା ବିକାଶ କେନ୍ଦ୍ର’ କରିବାକୁ ନିଷ୍ପତି ହୋଇଥିଲା । କିନ୍ତୁ ଆଜି ବି ଜୀବିକା ମିଶନ ପଦେ ବି ଆଗେଇ ପାରିନି । ‘ଜୀବିକା ଦକ୍ଷତା ବିକାଶ କେନ୍ଦ୍ର’ କେବଳ ଶିଳାନ୍ୟାସରେ ସୀମିତ ଥିବା ବେଳେ ଯୁବକ ଯୁବତୀମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ପ୍ରତିଶୁତିରେ ହିଁ ରହିଛି ।