କନକ ବ୍ୟୁରୋ: ଅଗ୍ନିବୀର ଯୋଜନାକୁ ନେଇ ଗତ କିଛି ଦିନ ହେଲା ବିବାଦ ଲାଗି ରହିଥିଲା । ଆଉ ଏବେ ଅଗ୍ନିବୀର ସ୍କିମକୁ ନେଇ ସରକାର ବଡ ଘୋଷଣା କରିଛନ୍ତି । ଅଗ୍ନିବୀରମାନଙ୍କୁ ସିଆଇଏସଏଫ୍ (CISF) ଏବଂ ବିଏସଏଫ (BSF)ରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ ବୋଲି ଘୋଷଣା କରାଯାଇଛି । ଏଥିସହ ତାଙ୍କୁ ଫିଜିକାଲ୍ ଟେଷ୍ଟରେ ମଧ୍ୟ ସୁବିଧା ମିଳିବ ବୋଲି ଗୃହ ମନ୍ତ୍ରାଳୟ ତରଫରୁ ପ୍ରକାଶ କରାଯାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

ତେବେ ଏ ସମ୍ପର୍କରେ ବିଏସଏଫ୍ ଡିଜି ନୀତିନ ଅଗ୍ରଓ୍ୱାଲ ଏବଂ ସିଆଇଏସଏଫ୍ ଡିଜି ମୀନା ସିଂହ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ୨୦୨୨ ମସିହା ଜୁନ୍ ୧୮ ତାରିଖରେ ଗୃହ ମନ୍ତ୍ରାଳୟ ଏକ ନୋଟିସ୍ ଜାରି କରିଥିଲା । ଏହି ନୋଟିସରେ ସିଏପିଏଫ୍ (CAPF) ଏବଂ ଆସାମ ରାଇଫଲ୍ସରେ ପୂର୍ବ ଅଗ୍ନିବୀରମାନଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହି ସିଏପିଏ ଭିତରେ ବିଏସଏଫ୍, ସିଆରପିଏଫ୍, ଆଇଟିବିପି, ଏସଏସବି ଏବଂ ସିଆଇଏସଏଫ୍ ରହିଅଛି ।

ଜାଣିରଖିବା ଉଚିତ୍ ଯେ, ୨୦୨୨ ମସିହାରେ କେନ୍ଦ୍ର ସରକାର ଏହି ଅଗ୍ନିବୀର ସ୍କିମ ଲଞ୍ଚ କରିଥିଲେ । ଏଥିରେ ସେନା,ନୌସେନା ଓ ବାୟୁସେନାରେ ଯୁବକମାନଙ୍କୁ ୪ ବର୍ଷ ପାଇଁ ନିଯୁକ୍ତି ଦିଆଯାଉଥିଲା । ଏହା ମଧ୍ୟରେ ସେମାନଙ୍କୁ ୬ ମାସର ଟ୍ରେନିଂ ଦିଆଯାଉଥିଲା । ତେବେ ଏହି ସ୍କିମକୁ ନେଇ ସରକାରକୁ ଘେରିଥିଲେ ବିରୋଧୀ । ଏମିତି କି ଗତ ସଂସଦୀୟ ଅଧିବେଶନରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା ।