କନକ ବ୍ୟୁରୋ : କୃଷକଙ୍କୁ ନେଇ ରାଜନୀତି କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର କୃଷକମାନଙ୍କୁ ଯେତିକି ସାର ଆବଶ୍ୟକ ତାହା କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି । ଏହା କହିଛନ୍ତି ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ରରାଷ୍ଟ୍ର ସାର ଓ ରସାୟନ ବିଭାଗ ମନ୍ତ୍ରୀ ଭଗବନ୍ତ ଖୁବା ।

Advertisment

publive-image

ସାର ଓ ରସାୟନ ବିଭାଗର ୱେବସାଇଟରେ ରାଜ୍ୟମାନଙ୍କୁ ଦିଆଯାଉଥିବା ସାରର ସବୁ ଡାଟା ପ୍ରତ୍ୟେକ ଦିନ ଅପଡେଟ ହୋଇଥାଏ । ତେଣୁ ସାର ଅଭାବ ରହିଛି ବୋଲି ମୁଖ୍ୟମନ୍ତ୍ରୀ କୁହନ୍ତୁ ନାହିଁ ବୋଲି ସେ କହିଛନ୍ତି । ଏଥିସହ ରାଜ୍ୟର କୃଷକ ମାନଙ୍କୁ ଅପିଲ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସାର ଅଭାବୀ ଖବରକୁ ବିଶ୍ୱାସ କରନ୍ତୁ ନାହିଁ । ଓଡ଼ିଶା ସରକାର ୨୫ ହଜାର ମେଟ୍ରିକ୍ ଟନ୍ ସାର ମାଗିଥିଲେ କିନ୍ତୁ କେନ୍ଦ୍ର ୪୫ ହଜାର ମେଟ୍ରିକ୍ ଟନ୍ ଦେଇଛି ବୋଲି ମନ୍ତ୍ରୀ କହିଛନ୍ତି ।

publive-image

ସେପଟେ, ରାଜ୍ୟରେ ସାର ସଙ୍କଟ ଉତ୍କଟ ରୂପ ନେଇଛି । ବନ୍ୟା ସମୟରେ କ୍ଷତିଗ୍ରସ୍ତ ଫସଲ ପାଇଁ ସାରର ଆବଶ୍ୟକତା ଅଧିକ ଥାଏ । ଠିକ୍‌ ସେହିସମୟରେ ଚାଷୀଙ୍କ ପାଖରେ ଡିଏପି ଏବଂ ଏମ୍‌ଓପି ଭଳି ସାର ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ବି କିଛି ସୁଫଳ ମିଳିନାହିଁ । ଶୁକ୍ରବାର ଦିନ ଏହି ପ୍ରସଙ୍ଗରେ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜୁଲାଇ ମାସ ଶେଷ ସୁଦ୍ଧା ଓଡ଼ିଶାର ଆବଶ୍ୟକତା ଅନୁଯାୟୀ ୟୁରିଆ ଯୋଗାଣ ଠିକ୍ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହ ଦର୍ଶାଇଛନ୍ତି ଯେ ଜୁଲାଇ ମାସ ‌ଶେଷ ସୁଦ୍ଧା ଧାର୍ଯ୍ୟ ଯୋଗାଣ ଠାରୁ ୪୬ ହଜାର ୮୭୭ ମେଟ୍ରିକ ଟନ୍‌ ଡିଏପି ଏବଂ ୧୦୧୦ ମେଟ୍ରିକ ଟନ୍‌ ଏମ୍‌ଓପି ଯୋଗାଣ କମ୍ ହୋଇଛି। ବର୍ତ୍ତମାନ ମୌସୁମୀ ସକ୍ରିୟ ହୋଇଥିବାରୁ କୃଷି କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ଫଳରେ ସାରର ଆବଶ୍ୟକତା ଏବେ ଅଧିକ ବଢ଼ିଯାଇଛି ।

ବିଗତ ବର୍ଷଗୁଡ଼ିକରେ ୟସ୍‌, ଜୱାଦ୍ ଓ ଗୁଲାବ ପରି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ରାଜ୍ୟରେ ଫସଲ ଉତ୍ପାଦନ ହ୍ରାସ ପାଇଥିଲା । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ମୌସୁମୀ ଏଥର ସ୍ବାଭାବିକ ଥିବାରୁ ଅଧିକ ଅମଳ ହେବାର ସମ୍ଭାବନା ଦେଖାଦେଇଛି। ତେଣୁ ବର୍ତ୍ତମାନ ଆବଶ୍ୟକତା ‌ଅନୁଯାୟୀ ଚାଷୀଙ୍କୁ ସାର ଯୋଗାଣର ଜରୁରୀ ଆବଶ୍ୟକତା ରହିଛି ।