ସମର୍ଥନ ମିଳିଲାନି, ସରକାର ପାଇଁ ବାଟ ଫିଟିଲାନି । ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ର କ୍ୟାବିନେଟର ଗ୍ରୀନ୍ ସିଗନାଲ । ରାଜ୍ୟପାଳଙ୍କ ନିଷ୍ପତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲା ଶିବସେନା ।

732

କନକ ବ୍ୟୁରୋ : ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ର କ୍ୟାବିନେଟରୁ ମିଳିଲା ଗ୍ରୀନ୍ ସିଗନାଲ । ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି । କେବଳ ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ମହାରାଷ୍ଟ୍ରରେ ଲାଗୁ ହେବ ରାଷ୍ଟ୍ରପତି ଶାସନ । ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବେ ଦିଲ୍ଲୀରେ ନଥିବାରୁ ସେ ଫେରିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଇଛି ।

ଏହାପୂର୍ବରୁ ବିଜେପି ଓ ଶିବସେନାକୁ ସରକାର ଗଢିବାକୁ ରାଜ୍ୟପାଳ ସୁଯୋଗ ଦେଇଥିଲେ । କିନ୍ତୁ ରାଜ୍ୟପାଳ ଦେଇଥିବା ଡେଡଲାଇନ ମଧ୍ୟରେ ସରକାର ଗଢିବାକୁ ଆବଶ୍ୟକୀୟ ସଦସ୍ୟଙ୍କ ସମର୍ଥନ ଜୁଟାଇ ପାରିନଥିଲେ ଉଭୟ ବିଜେପି-ଶିବସେନା । ତେଣୁ ଗତକାଲି ତୃତୀୟ ବୃହତ୍ତ ଦଳ ଭାବେ ଏନସିପିକୁ ସରକାର ଗଢିବାକୁ ୨୪ ଘଣ୍ଟାର ସମୟ ଦେଇଥିଲେ ରାଜ୍ୟପାଳ । କିନ୍ତୁ ଆଜି ୧୧.୩୦ରେ ରାଜ୍ୟପାଳଙ୍କୁ ଚିଠି ଲେଖି ସରକାର ଗଢିବାକୁ ଅଧିକ ୨ ଦିନ ସମୟ ମାଗିଥିଲା ଏନସିପି । ଆଉ ଏହି ଚିଠିକୁ ଆଧାର କରି ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ ମାହୋଲ ନଥିବା ଦର୍ଶାଇ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ସୁପାରିଶ କରିଥିଲେ ରାଜ୍ୟପାଳ । ଆଉ ରାଜ୍ୟପାଳଙ୍କ ସୁପାରିଶକ୍ରମେ ସଙ୍ଗେ ସଙ୍ଗେ କେନ୍ଦ୍ର କ୍ୟାବିନେଟର ବୈଠକରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ନିଷ୍ପତି ନିଆଯାଇଥିଲା ।

ତେବେ ରାଜ୍ୟପାଳଙ୍କ ଏଭଳି ନିଷ୍ପତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ଶିବସେନା । ସରକାର ଗଠନ ପାଇଁ ବିଜେପିକୁ ୪୮ ଘଣ୍ଟା ମିଳୁଥିବା ବେଳେ ଆମକୁ କାହିଁକି ୨୪ ଘଣ୍ଟା ଦିଆଗଲା ତାହାକୁ କୋର୍ଟରେ ଚ୍ୟାଲେଞ୍ଜ କରିଛି ଶିବସେନା । ଏପରିକି ବିଜେପି ଇସାରାରେ ରାଜ୍ୟପାଳ ତରବରିଆ ଭାବେ ନିଷ୍ପତି ନେଉଥିବା କହିଛି ଶିବସେନା । ଆସନ୍ତାକାଲି ଏନେଇ ରାୟ ଶୁଣାଇପାରନ୍ତି ସୁପ୍ରିମକୋର୍ଟ ।