କନକ ବ୍ୟୁରୋ : କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ଚର୍ଚ୍ଚା ବଢିବାରେ ଲାଗିଛି । ଆଜି ଦିନ ୧୧ଟାରେ କେନ୍ଦ୍ର କ୍ୟାବିନେଟ୍ ବୈଠକ ବସୁଥିବାରୁ ଏହି ଚର୍ଚ୍ଚା ପୁଣି ଜୋର ଧରିଛି । ଗତ ରବିବାର ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଉଭୟ କ୍ୟାବିନେଟ୍ ମନ୍ତ୍ରୀ ଓ ରାଷ୍ଟ୍ରମନ୍ତ୍ରୀଙ୍କ ବୈଠକ ବସିଥିଲା । ୫ଟି ପର୍ଯ୍ୟାୟରେ ଏହି ବୈଠକରେ ଆଲୋଚନା ହୋଇଥିଲା । ଏହାକୁ ନେଇ ଦିଲ୍ଲୀ ପାୱର କରିଡର ସରଗରମ ରହିଛି । କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ହେବା ସହ ସଂପ୍ରସାରଣ ଚର୍ଚ୍ଚା ମଧ୍ୟ ଜୋର ଧରିଛି । ରାଜନୈତିକ ସମୀକ୍ଷକମାନେ ଆକଳନ କରୁଛନ୍ତି, ଖୁବଶୀଘ୍ର ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ପରିବର୍ତନ ହେବାକୁ ଯାଉଛି । ୨୦୧୯ ମସିହା ପରଠାରୁ ଅର୍ଥାତ୍ ଦ୍ୱିତୀୟ ପାଳି କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ମନ୍ତ୍ରିମଣ୍ଡଳରେ ପରିବର୍ତନ କରିନାହାନ୍ତି ।
କିଛି ନୂଆ ନେତାଙ୍କୁ ମୋଦି ମନ୍ତ୍ରିମଣ୍ଡଳରେ ସାମିଲ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏହି କ୍ରମରେ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ଶର୍ବାନନ୍ଦ ସୋନୱାଲ, କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ଉତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାୱତଙ୍କ ନାଁ ଚର୍ଚ୍ଚାର ଆଗରେ ରହିଛି । ଶିବଶେନା ଓ ଶିରୋମଣି ଅକାଳି ଦଳ ଏନଡିଏ ମେଂଟରୁ ଓହରି ଯିବା ପରେ ଜେଡିୟୁ ନେତାଙ୍କୁ ମୋଦି ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବା ନେଇ ଚର୍ଚ୍ଚା ବଢିଛି । ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଓଡିଶାରୁ କିଛି ନେତାଙ୍କୁ ସ୍ଥାନ ମିଳିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ, ଅପରାଜିତା ଷଡଙ୍ଗୀ ଓ ବୈଜୟନ୍ତ ପଣ୍ଡାଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/7-17.jpg)