କୃଷି ଆଇନ ରଦ୍ଦ ନେଇ କେନ୍ଦ୍ର କ୍ୟାବିନେଟରେ ବାଜିଲା ମୋହର । ସଂସଦର ଶୀତକାଳିନ ଅଧିବେଶନରେ ଅଣାଯିବ ପ୍ରସ୍ତାବ ।

148

କନକ ବ୍ୟୁରୋ : ତିନି କୃଷି ଆଇନ ପ୍ରତ୍ୟାହାର କରିବା ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ସାମ୍ବିଧାନିକ ପ୍ରକ୍ରିୟା ଆଗକୁ ବଢ଼ିଛି । କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷି ଆଇନ ପ୍ରତ୍ୟାହାର ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ । ଆସନ୍ତା ୨୯ରେ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବା ବେଳେ କୃଷି ଆଇନ ପ୍ରତ୍ୟାହାର ପାଇଁ ବିଲ୍ ଆଣିବେ ମୋଦୀ ସରକାର । ଆଉ ଏହି ବିଲ୍ ପାରିତ ହେବା ପରେ ବିବାଦୀୟ ଆଇନ ବିଧିବଦ୍ଧ ଭାବେ ହଟିଯିବ ।

ଏହି କେନ୍ଦ୍ର କ୍ୟାବିନେଟ ବୈଠକ ଉପରେ ପୂରା ଦେଶର ନଜର ରହିଥିଲା । କାରଣ ଯେଉଁ ପ୍ରସଙ୍ଗକୁ ନେଇ ସାରା ଦେଶ ପ୍ରାୟ ଗୋଟିଏ ବର୍ଷ ଉଠୁଥିଲା-ପଡ଼ୁଥିଲା, ସେହି ପ୍ରସଙ୍ଗରେ ନିଆଯାଇଛି ନିର୍ଣ୍ଣାୟକ ନିଷ୍ପତ୍ତି । ତିନି କୃଷି ଆଇନ ରଦ୍ଦ ପ୍ରସ୍ତାବରେ ବାଜିଲା ମୋହର । କେନ୍ଦ୍ର କ୍ୟାବିନେଟ ବୈଠକରେ ନିଆଗଲା ନିଷ୍ପତ୍ତି ।

ତିନି କୃଷି ଆଇନ ରଦ୍ଦ କରିବା ନେଇ ଆରମ୍ଭ ହୋଇଯାଇଛି ସାମ୍ବିଧାନିକ ପ୍ରକ୍ରିୟା । କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ ପରେ ଏବେ ସଂସଦରେ ପ୍ରକ୍ରିୟା ଆଗକୁ ବଢ଼ିବ । ସଂସଦର ଶୀତ ଅଧିବେଶନରେ “କୃଷି ଆଇନ ପ୍ରତ୍ୟାହାର ବିଲ୍ ୨୦୨୧’ ଆଣିବେ ମୋଦୀ ସରକାର । ଏଥିରେ ତିନିଟି ଯାକ ନୂଆ କୃଷି ଆଇନ ରଦ୍ଦ କରିବାକୁ ପ୍ରସ୍ତାବ ରଖାଯିବ । ବିଲ ପାରିତ ହେଲେ ରଦ୍ଦ ହୋଇଯିବ ଏହି ବିବାଦୀୟ ଆଇନ ।

ଆସନ୍ତା ୨୯ରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେଉଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୁପାରିସ୍ ପରେ କୃଷି ମନ୍ତ୍ରାଳୟ ଆଇନ ରଦ୍ଦ ପାଇଁ ବିଲ୍ ପ୍ରସ୍ତୁତ କରୁଥିବା କୁହାଯାଉଛି । ସେପଟେ କୃଷି ଆଇନ ରଦ୍ଦ ପାଇଁ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲେ ବି ଚାଷୀମାନେ ଆନ୍ଦୋଳନରୁ ହଟି ନାହାନ୍ତି ।

ସଂସଦରେ ବିଧିବଦ୍ଧ ଭାବେ କୃଷି ଆଇନ୍ ରଦ୍ଦ ହେବା ସହ ଏମଏସପି ନେଇ ନୂଆ ଆଇନ ଲାଗୁ ଦାବିରେ ଅଡ଼ି ବସିଛନ୍ତି ଚାଷୀ । ୬ ଦଫା ଦାବି ବିଷୟରେ ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିସାରିଛନ୍ତି ଚାଷୀ । ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଅପ୍ରତ୍ୟାଶିତ ଭାବେ କୃଷି ଆଇନ ରଦ୍ଦ କରିବାକୁ ଘୋଷଣା କରିଥିଲେ । ନୂଆ କୃଷି ଆଇନର ଲାଭ ବିଷୟରେ ଚାଷୀଙ୍କୁ ବୁଝାଇବାରେ ବିଫଳ ହୋଇଥିବା ନିଜେ ସ୍ୱୀକାର କରିଥିଲେ ପ୍ରଧାନମନ୍ତ୍ରୀ ।