କନକ ବ୍ୟୁରୋ: ପ୍ରତିକ୍ଷାର ହେଲା ଅନ୍ତ । ସଂସଦରେ ଉପଲସ୍ଥାପିତ ହେଲା କରୋନା କାଳର ପ୍ରଥମ ବଜେଟ୍ । ତେବେ କରୋନା କାଳ ଭିତରେ ସଂସଦରେ ଆଗତ ହେଲା ସାଧାରଣ ବଜେଟ । ପୂର୍ବ ନିର୍ଦ୍ଧାରିତ ସମୟରେ ୨୦୨୧-୨୨ର ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କେନ୍ଦ୍ର କ୍ୟାବିନେଟରେ ବଜେଟକୁ ମଞ୍ଜୁରୀ ମିଳିବା ପରେ ସଂସଦରେ ଆଗତ ହୋଇଛି ୨୦୨୧-୨୨ର ସାଧାରଣ ବଜେଟ । ତେବେ ଭାରତୀୟ ବଜେଟ ଇତିହାସରେ ପ୍ରଥମ ଥର ପାଇଁ ପେପରଲେସ ବଜେଟ ଉପସ୍ଥାପିତ ହୋଇଛି । କରୋନା ସଂକ୍ରମଣ ଯୋଗୁଁ ପେପରଲେସ ବଜେଟ ଆଗତ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।
ସାଧାରଣ ବଜେଟରେ ଆତ୍ମନିର୍ଭର ସ୍ବାସ୍ଥ୍ୟ ଭାରତ ଯୋଜନାର ଶୁଭାରମ୍ଭ କରିବା ସହ କୋଭିଡ ଭ୍ୟାକସିନ ପାଇଁ ୩୫୦୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଭାରତର ଭ୍ୟାକସିନ ୧୦୦ରୁ ଅଧିକ ଦେଶକୁ ଫାଇଦା ଦେବ । ଆମ ପାଖରେ ପୂର୍ବରୁ ୨ଟି ଭ୍ୟାକସିନ ରହିଛି । ଖୁବଶୀଘ୍ର ଆଉ ୨ଟି ଭ୍ୟାକସିନ ମଧ୍ୟ ହାତେଇବ ଭାରତ । ସୁସ୍ଥ ଭାରତ ହେଉଛି ସରକାରଙ୍କ ମନ୍ତ୍ର ବୋଲି ସଂସଦରେ ବଜେଟ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ସେହିଭଳି ୨୦୨୧-୨୨ର ବଜେଟରେ ପରିବହନ ଓ ରେଳ ବିଭାଗ ଉପରେ ମଧ୍ୟ ପ୍ରାଥମିକତା ଦିଆଯାଇଛି । ନଜର ପକାନ୍ତୁ ଏହି ଖବର ଉପରେ..
ରେଳବାଇକୁ ୧,୧୦,୦୫୫ କୋଟିର ଆବଣ୍ଟନ
ଦୁଇ ପ୍ରକାର ମେଟ୍ରୋର ପରିକଳ୍ପନା
ଦୁଇ ପ୍ରକାରର ମେଟ୍ରୋ- ମେଟ୍ରୋ ଲାଇଟ, ମେଟ୍ରୋ ନିୟୋ
ମେଟ୍ରୋ ପ୍ରୋଜେକ୍ଟ ପାଇଁ ଦିଆଯିବ ପ୍ରୋତ୍ସାହନ
ମେଟ୍ରୋର ବିସ୍ତାର ପାଇଁ କେନ୍ଦ୍ର ଦେବ ସହାୟତା
କିଛି ନୂଆ ସହରରେ ଆରମ୍ଭ ହେବ ମେଟ୍ରୋ
କୋଚି, ଚେନ୍ନାଇ, ନାଗପୁର ଓ ନାସିକରେ ମେଟ୍ରୋ ପ୍ରକଳ୍ପ
ଇଷ୍ଟ-କୋଷ୍ଟ କରିଡର,ନର୍ଥ–ସାଉଥ କରିଡ଼ର ପାଇଁ ବି ଘୋଷଣା
ରେଳଲାଇନ ବିଦ୍ୟୁତକରଣ କାର୍ଯ୍ୟ ୭୨% ପୂରଣ ଲକ୍ଷ୍ୟ
୨୭ ସହରରେ ୧୦୬୦ କିଲୋମିଟର ମେଟ୍ରୋ ଲାଇନ ହେବ
ସେହିଭଳି
- ପରିବହନ ମନ୍ତ୍ରାଳୟ ପାଇଁ ୧.୧୮ ଲକ୍ଷ କୋଟିର ଘୋଷଣା । ପଶ୍ଚିମବଙ୍ଗ, ଆସାମ ଓ ତାମିଲନାଡୁ ପାଇଁ ବଡ ଘୋଷଣା । ବଙ୍ଗଳାରେ ନୂଆ ରାସ୍ତା ପାଇଁ ୨୫ ହଜାର କୋଟି । ଆସନ୍ତା ବର୍ଷ ୮୫୦୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଲକ୍ଷ୍ୟ ।
- ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବଡ ଘୋଷଣା । ପୁରୁଣା ଗାଡି ପାଇଁ ଆସିବ ସ୍କ୍ରାପ ପଲିସି । ପୁରୁଣା ଗାଡି ଗୁଡିକୁ ସ୍କ୍ରାପ କରାଯିବ । ୪୨ଟି ସହରରେ ବାୟୁ ପ୍ରଦୂଷଣ ରୋକିବାକୁ ୨୨୧୭ କୋଟି ଟଙ୍କା । ସ୍ୱଚ୍ଛ ବାୟୁ ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୨ ହଜାର କୋଟି ।
- ସ୍ୱାସ୍ଥ୍ୟ ବଜେଟ : ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୨.୨୩ ଲକ୍ଷ କୋଟି ଟଙ୍କା ଘୋଷଣା । ଗତ ସ୍ୱାସ୍ଥ୍ୟ ବଜେଟ ଠାରୁ ଏହା ୧୩୭% ଅଧିକ । ୧୭ଟି ନୂଆ ପବ୍ଲିକ ହେଲଥ ସେଣ୍ଟର କରାଯିବ । ୬୦୨ଟି ବ୍ଲକରେ କ୍ରିଟିକାଲ କେୟାର ସେଣ୍ଟର ନିର୍ମାଣ କରାଯିବ ।