ଆନ୍ଦୋଳନରତ ଚାଷୀଙ୍କୁ ୮ ପୃଷ୍ଠାର ଚିଠି ଲେଖିଲେ କେନ୍ଦ୍ର କୃଷିମନ୍ତ୍ରୀ । କହିଲେ ଚାଷୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବିରୋଧୀ । ପୂର୍ବ ଭଳି ଜାରି ରହିବ ଏମଏସପି ଓ ମଣ୍ଡି

90

କନକ ବ୍ୟୁରୋ : କୃଷକ ଆନ୍ଦୋଳନକୁ ୨୧ ଦିନ ପୁରିବା ପରେ ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସଂ ତୋମାର ଆନ୍ଦୋଳନରତ ଚାଷୀ ମାନଙ୍କ ପାଖକୁ ଏକ ୮ ପୃଷ୍ଠାର ଚିଠି ପଠାଇଛନ୍ତି । ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି କି ଚାଷୀମାନେ ଯେଉଁ ଏମଏସପିକୁ ନେଇ ସନ୍ଦେହ ଜାରି କରିଛନ୍ତି ସେହି ଏମଏସପି ଏବେ ଜାରି ଅଛି ଓ ଆଗକୁ ରହିବ । ଏହାସହ ମୋଦି ସରକାରଙ୍କ ୬ ବର୍ଷ ଶାସନ କାଳରେ ଏମଏସପି ଜରିଆରେ ଚାଷୀଙ୍କୁ ଦୁଇଗୁଣ ଅର୍ଥ ଦିଆଯାଇଛି । ଅନ୍ୟପଟେ କୃଷି ଆଇନକୁ ନେଇ କୃଷକ ମାନଙ୍କ ମନରେ ଭ୍ରମ ସୃଷ୍ଟି କରାଯାଇଛି ବୋଲି ସେ ଲେଖିଛନ୍ତି । ସେ ଆହୁରି ଏହି ଚିଠିରେ ଲେଖିଛନ୍ତି କି ମଣ୍ଡି ବ୍ୟବସ୍ଥା ଏବେ ଯେଉଁ ଭଳି ରହିଛି, ତାହା ବି ଆଗାମୀ ଦିନରେ ସେହିଭଳି ରହିବ । କୃଷକ ମାନଙ୍କ ମନରେ ଭ୍ରମ ସୃଷ୍ଟି କରି ଆନ୍ଦୋଳନକୁ ପ୍ରୋତ୍ସାହନ ଦେଉଥିବା ମିଥ୍ୟାଚାରୀ ମାନଙ୍କୁ କୃଷକ ମାନେ ଭଲରେ ଚିହ୍ନନ୍ତୁ ବୋଲି ସେ ଚିଠିରେ ଲେଖିଛନ୍ତି । ଚୁକ୍ତି ଭିତିକ ଚାଷକୁ ନେଇ କେନ୍ଦ୍ର କୃଷିମନ୍ତ୍ରୀ ଲେଖିଛନ୍ତି କି ଏହି ଆଇନ ବଳରେ କୃଷକଙ୍କ ଜମି ଉପରେ କୌଣସି ପ୍ରକାର ବିପଦ ରହିବ ନାହିଁ । କମ୍ପାନୀ ମାନେ କେବଳ ଉତ୍ପାଦିତ ଫସଲକୁ ନେଇ ଚୁକ୍ତି କରିବେ ଜମିକୁ ନେଇ କୌଣସି ଚୁକ୍ତି ହେବ ବୋଲି ନୂତନ ଆଇନରେ ପ୍ରାବଧାନ ନଥିବା କଥା କୃଷିମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । କୃଷକ ମାନଙ୍କୁ ଚୁକ୍ତି ମୁତାବକ ନିର୍ଦ୍ଧାରିତ ସମୟରେ ଦେୟ ପ୍ରଦାନ କରାଯିବ । ନିର୍ଦ୍ଧାରିତ ସମୟରେ ଦେୟ ନଦେଲେ ଜରିମାନା ଲାଗୁ କରାଯିବ ।

ଏଭଳି ୮ ପୃଷ୍ଟା ସମ୍ବଳିତ ଏକ ଚିଠି କୃଷକ ମାନଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି କୃଷିମନ୍ତ୍ରୀ । ହେଲେ ଆଜିକୁ ୨୧ ଦିନ ଧରି ଆନ୍ଦୋଳନ ଚଳାଇଥିବା କୃଷକ ମାନେ ଏବେ ବି ଆଇନରେ ସଂଶୋଧନ ନୁହେଁ ସମ୍ପୁର୍ଣ୍ଣ ଆଇନ ପ୍ରତ୍ୟାହାର ଦାବିରେ ଅଡି ବସିଛନ୍ତି ।
ସେପଟେ ଏହି ଆନ୍ଦୋଳନକୁ ପୁର୍ଣ୍ଣ ସମର୍ଥନ ଜଣାଇ ଦିଲ୍ଲୀ ବିଧାନସଭାରେ ଆଜି ଏକ ସ୍ୱତନ୍ତ୍ର ଅଧିବେଶନ ଡକା ଯାଇଥିଲା । ଏଥିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଆମ୍ ଆଦମୀ ପାର୍ଟିର ବିଧାୟକ ମାନେ କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ କୃଷି ବିଲ୍ କୁ କୃଷକ ବିରୋଧୀ କହି ବିଧାନସଭା ଭିତରେ ଚିରି ଥିବାର ଦେଖିବାକୁ ମିଳିଥିଲା ।