ପୁଣି କୃଷକଙ୍କ ଦାବି ଆଗରେ ମୁଣ୍ଡ ନୁଆଁଇଲେ ସରକାର, ଏହି ଦାବିକୁ ଗ୍ରହଣ କରି କୃଷିମନ୍ତ୍ରୀ କଲେ ଘୋଷଣା

241

କନକ ବ୍ୟୁରୋ : କେନ୍ଦ୍ର ସରକାର କୃଷକଙ୍କର ଗୋଟିଏ ପରେ ଗୋଟିଏ ଦାବିକୁ ସ୍ୱୀକାର କରିବାରେ ଲାଗିଛନ୍ତି । ପ୍ରଥମେ ୩ କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ଆଜି କୃଷକଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଦାବି ଉପରେ ସହମତି ପ୍ରକାଶ କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମର । କିଛିବର୍ଷ ହେବ ଦେଶର କୃଷକମାନେ କ୍ଷେତରେ ନଡା ଜଳାଇବାକୁ ସରକାର ଅପରାଧ ବୋଲି ବିବେଚନା କରୁଥଲେ । ମାତ୍ର ଏହା ଅପରାଧ ଶ୍ରେଣୀଭୁକ୍ତ ନୁହେଁ ବୋଲି କୃଷକମାନେ ବାରମ୍ବାର ସରକାରଙ୍କ ପାଖରେ ଦାବି କରିଆସୁଥିଲେ । ଏହାକୁ ନେଇ କୃଷକ ସଂଗଠନମାନେ ସେମାନଙ୍କ ଦାବି କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମରଙ୍କ ପାଖରେ ରଖିଥିଲେ  । ଆଜି ଭାରତ ସରକାର କୃଷକଙ୍କର ଏହି ଦାବିକୁ ସ୍ୱୀକାର କରିଛନ୍ତି ।

ଏହି ଘୋଷଣା ବେଳେ କୃଷିମନ୍ତ୍ରୀ କହିଛନ୍ତି କି ପ୍ରଧାନମନ୍ତ୍ରୀ ଫସଲର ବିବିଧିକରଣ, ଶୂନ୍ୟ ବଜେଟ ଚାଷ ଓ ଏମଏସପି ପ୍ରଣାଳୀକୁ ଅଧିକ ପ୍ରଭାବଶାଳୀ କରିବାକୁ ଏକ କମିଟି ଗଠନ ନେଇ ଘୋଷଣା କରିଛନ୍ତି । ଏହି କମିଟିରେ କୃଷକ ସଂଗଠନର ପ୍ରତିନିଧିମାନେ ରହିବେ ।

ଅନ୍ୟପଟେ ଉଭୟ ସଦନରେ ପାରିତ ହୋଇଥିବା ୩ ଟି କୃଷି ଆଇନକୁ ନିରସ୍ତ୍ର କରିବା ଉପରେ କୃଷିମନ୍ତ୍ରୀ କହିଛନ୍ତି ଯେ, ଏହି ବିଧେୟକ ଶୀତକାଳୀନ ଅଧିବେଶନର ପ୍ରଥମଦିନ (ନଭେମ୍ବର୨୯) ତାରିଖରେ ସଂସଦରେ ଆଗତ କରାଯିବ । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ କୃଷକମାନେ ଆନ୍ଦୋଳନରୁ ଓହୁରି ଯିବାକୁ ସେ ନିବେଦନ କରିଛନ୍ତି ।