ଦିଲ୍ଲୀରେ ସରକାର ଓ ଚାଷୀନେତାଙ୍କ ଭିତରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଜାରି : ବିଜ୍ଞାନ ଭବନରେ ୪୦ କୃଷକ ନେତା ସାମିଲ

ସେପଟେ ବୈଠକ ପୂର୍ବରୁ ଅମିତ ଶାହଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମିରିନ୍ଦର ସିଂ

108

କନକ ବ୍ୟୁରୋ : କୃଷକ ନେତା ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହୋଇଛି । ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ୪୦ ଜଣ କୃଷକ ନେତାଙ୍କ ସହ ନୂଆ କୃଷି ଆଇନ ସଂପର୍କିତ ସମସ୍ୟାକୁ ନେଇ ଆଲୋଚନା କରୁଛନ୍ତି ।
ଆଲୋଚନା ପୂର୍ବରୁ ଚାଷୀ ନେତା କେନ୍ଦ୍ର ସରକାରଙ୍କୁ ଲିଖିତ ଭାବେ ନିଜ ଦାବି ଜଣାଇଛନ୍ତି । ଚାଷୀଙ୍କ ଦାବି ଉପରେ ସରକାରଙ୍କ ଠାରୁ ଲିଖିତ ପ୍ରତିଶ୍ରୁତି ଦାବି କରାଯାଇଛି । ଚାଷୀ କେନ୍ଦ୍ର ସରକାରଙ୍କ ପାଖରେ ଉଠାଇଥିବା ଦାବି ଗୁଡିକ ହେଉଛି, ତିନୋଟି ନୂଆ କୃଷି ଆଇନକୁ ତୁରନ୍ତ ପ୍ରତ୍ୟାହାର କରାଯାଉ । ଚାଷୀଙ୍କ ପାଇଁ ଏମଏସପି ଦେବା ପାଇଁ ଆଇନରେ ବ୍ୟବସ୍ଥା ରହୁ । ଏମଏସପି ଧାର୍ଯ୍ୟ କରିବା ପାଇଁ ସ୍ୱାମିନାଥନ କମିଶନଙ୍କ ଫର୍ମୂଲାକୁ ଲାଗୁ କରାଯାଉ ।

ଦିଲ୍ଲୀ ଏନସିଆର ଅଂଚଳରେ ଲାଗୁହୋଇଥିବା ବାୟୁପ୍ରଦୂଷଣ ଆଇନକୁ ପ୍ରତ୍ୟାହାର କରାଯାଉ । ଚାଷ ପାଇଁ ଡିଜେଲ ଦରରେ ୫୦ ପ୍ରତିଶତ ହ୍ରାସ କରାଯାଉ ଏବଂ ସାରା ଦେଶରେ ଚାଷୀ ନେତା , କବି, ଲେଖକ ଓ ଆଇନଜୀବୀଙ୍କ ସମେତ ଅନ୍ୟ ସାମାଜିକ କର୍ମୀଙ୍କ ନାମରେ ରହିଥିବା ମାମଲାକୁ ପ୍ରତ୍ୟାହାର କରାଯାଉ ବୋଲି ଚାଷୀ ନେତା ଦାବି କରିଛନ୍ତି । ଗଲା ଏକ ସପ୍ତାହ ହେଲା ଦିଲ୍ଲୀ ସୀମା ଓ ସଡକରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାର ଚାଷୀଙ୍କ ସହ ଆଲୋଚନା କରୁଛନ୍ତି ।