ବଦଳିବ ସେନାର ୟୁନିଫର୍ମ । କିପରି ହେବ ରୂପରେଖ?

272

କନକ ବ୍ୟୁରୋ: ଜାନୁଆରୀରୁ ବଦଳିଯିବ ଭାରତୀୟ ସେନାର ୟୁନିଫର୍ମ । ନୂଆ ୟୁନିଫର୍ମ ପୂର୍ବପେକ୍ଷା ଅଧିକ ଆରାଦାୟକ ଓ ପରିବେଶ ଉପଯୋଗୀ ହେବ ଯାହା ସୈନିକଙ୍କୁ ଅଧିକ ତେଜସ୍ୱୀ ଓ ପରାକ୍ରମୀ କରିବ ବୋଲି କହାଯାଉଛି । ଏହା ଯେ କୌଣସି ପରିବେଶ ହେଉ ବା ଯୁଦ୍ଧ ସମୟ ହେଉ ସେନା ପାଇଁ ପିନ୍ଧିବାକୁ ସହଜ ହେବ । ଏହି ନୂଆ ୟୁନିଫର୍ମକୁ ଜାନୁଆରୀ ୧୫ ତାରିଖରେ ପ୍ରଦର୍ଶନ କରାଯିବ ।

ଏହି ନୂଆ ପୋଷାକ ଦେଶର ବିଭିନ୍ନ ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି । ପର୍ବତ, ଜଙ୍ଗଲ ହେଉ ବା ମରୁଭୂମି ଏହା ସେନା ପାଇଁ ଆରାମଦାୟକ ହେବ ।  ଏହାକୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାସନ ଟେକ୍ନୋଲୋଜିର ସହାୟତାରେ ପ୍ରସ୍ତୁତି କରିଛି ସେନା । କେବଳ ଏତିକି ନୁହେଁ ଏହି ନୂଆ ୟୁନିଫର୍ମ ଆମେରିକା ସେନାର ୟୁନିଫର୍ମ ପରି ଡିଜିଟାଲ ଫ୍ୟାଟର୍ନରେ ପ୍ରସ୍ତୁତ ହୋଇଛି, ଯାହା ସେନାକୁ ଅଧିକ ପରାକ୍ରମୀ କରିବ ବୋଲି ସେନା ପକ୍ଷରୁ କୁହାଯାଇଛି । ଏଥିପାଇଁ ଏକାଧିକ ଥର ବୈଠକ ହୋଇ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା । ଏଥିରେ ବିଭିନ୍ନ ପ୍ରଭାବଶାଳୀ ରାଷ୍ଟ୍ରମାନଙ୍କ ସେନାର ୟୁନିଫର୍ମର ପ୍ରସ୍ତୁତି  ପ୍ରଣାଳୀ ସହ ବଦଳୁଥିବା ଯୁଦ୍ଧନୀତି ଉପରେ ପରଖାଯିବା ପରେ ସେନା ପାଇଁ ନୂଆ ୟୁନିଫର୍ମର ବିକଳ୍ପ ବାହାର କରିଛି ବିଭାଗ ।

ଏହା ପୂର୍ବରୁ ମଧ୍ୟ ୩ଥର ବଦଳିସାରିଛି ସେନାର ୟୁନିଫର୍ମ । ପାକିସ୍ତାନ ଠାରୁ ଅଲଗା ହେବା ପରେ ପ୍ରଥମ ଥର ପାଇଁ ବଦଳିଥିଲା । ଏହାପରେ ୧୯୮୦ରେ ଦ୍ୱିତୀୟ ଥର ବଦଳାଯାଇଥିଲା । ତୃତୀୟ ଥର ପାଇଁ ୨୦୦୫ରେ ବଦଳିଥିଲା ।