ସମାନ ନାଗରିକ ସଂହିତାକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ । ବହୁମତରୁ ଦୂରରେ ଥିବାରୁ ରାଜ୍ୟସଭାରେ ବିଲ୍ ପାସ୍ ହେବା ନେଇ ଉଠିଲା ପ୍ରଶ୍ନ

522

କନକ ବ୍ୟୁରୋ : ଦେଶରେ ସମାନ ନାଗରିକ ସଂହିତା ବା ୟୁସିସି ପ୍ରସଙ୍ଗ ସରଗରମ ରହିଛି । ବିଶେଷକରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନ ପରେ ୟୁସିସିକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଯେହେତୁ ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ, ତେଣୁ ଏହା ଉପରେ ଲ’ କମିଶନ ବିଭିନ୍ନ ବର୍ଗର ମତାମତ ଲୋଡ଼ିଛନ୍ତି । ଆଉ ଏହାରି ଭିତରେ ୮ଲକ୍ଷରୁ ଅଧିକ ମତାମତ ଏହା ଉପରେ ମିଳିସାରିଥିବା ଜଣାପଡ଼ିଛି । ତେବେ କେନ୍ଦ୍ର ସରକାର ରାଜ୍ୟ ସଭାରେ ଏହି ବିଲ୍ ପାସ୍ କରାଇପାରିବେ କି ନାହିଁ, ସେନେଇ ପ୍ରଶ୍ନ ଉଠିବାରେ ଲାଗିଛି । କାରଣ ସରକାରଙ୍କ ପାଖରେ ବହୁମତ ନାହିଁ   ।

ରାଜ୍ୟସଭାର ମୋଟ କ୍ଷମତା ହେଉଛି ୨୪୫ । ବର୍ତ୍ତମାନ ରାଜ୍ୟସଭାରେ ୨୩୭ ଜଣ ସଦସ୍ୟ ଅଛନ୍ତି । ୮ଟି ଆସନ ଖାଲି ପଡ଼ିଛି । ରାଜ୍ୟସଭାରେ ବିଲ୍ ଆଗତ ପାଇଁ ସରକାରଙ୍କୁ ଦରକାର ୧୧୯ ସାଂସଦଙ୍କ ସମର୍ଥନ । ବିଜେପି ଓ ସହଯୋଗୀ ଦଳ ପାଖରେ ରହିଛି ୧୦୯ ସାଂସଦଙ୍କ ସମର୍ଥନ । ଏପରି ସ୍ଥିତିରେ ବହୁମତ ପାଇଁ ଏନଡିଏକୁ ସରକାର ଆଉ ୧୦ ସାଂସଦଙ୍କ ସମର୍ଥନ । ରାଜ୍ୟସଭାରେ ଆମ୍ ଆଦମୀ ପାର୍ଟିର ୧୦ଜଣ ସାଂସଦ ଅଛନ୍ତି । ଯଦି ଆପ୍ ସମର୍ଥନ ଦିଏ, ତେବେ ବିଜେପି ବହୁମତ ହାସଲ କରିପାରିବ ।

ଜୁଲାଇ ୨୪ ତାରିଖରେ ରାଜ୍ୟସଭାର ୧୦ଟି ଆସନ ପାଇଁ ନିର୍ବାଚନ ହେବ । ଆଉ ଗୋଟିଏ ଆସନ ପାଇଁ ଉପନିର୍ବାଚନ ହେବ । ତେବେ ଏଥିମଧ୍ୟରୁ ୩ଟି ଆସନ ବିଜେପିକୁ ମିଳିବା ଏକପ୍ରକାର ନିଶ୍ଚିତ । କାରଣ ବିଜେପି ଏହି ତିନୋଟି ଆସନ ଗୁଜରାଟରୁ ଜିତିବ । ପଶ୍ଚିମବଙ୍ଗରୁ ବିଜେପିକୁ ଗୋଟିଏ ରାଜ୍ୟସଭା ଆସନ ମିଳିବ । ଏହା ସତ୍ୱେ ବିଜେପି ବହୁମତରୁ ଦୂରେଇ ରହିବ । ଯଦି ବହୁମତ ନମିଳେ, ତେବେ କେନ୍ଦ୍ର ସରକାରଙ୍କ ପକ୍ଷେ ବିଲକୁ ପାସ କରାଇବା କଷ୍ଟକର ହୋଇପାରେ । ସେପଟେ ସମାନ ନାଗରିକ ସଂହିତାକୁ ଆମ ଆଦମୀ ପାର୍ଟି ୟୁସିସିକୁ ସମର୍ଥନ ଜଣାଛଇଥିବା ବେଳେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ଏହାକୁ ବିରୋଧ କରିଛନ୍ତି । ସେପଟେ ଉତରାଖଣ୍ଡରେ ୟୁସିସିକୁ ନେଇ ଗଠିତ କମିଟି ଡ୍ରାଫ୍ଟ ପ୍ରସ୍ତୁତ କରିସାରିଛି । କମିଟି କହିଛି, ଡ୍ରାଫ୍ଟକୁ ଶୀଘ୍ର ସରକାରଙ୍କୁ ହସ୍ତାନ୍ତର କରାଯିବ ।

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ର ସରକାର ଏହି ବିଲକୁ ଆଗାମୀ ମୌସୁମୀ ଅଧିବେଶନରେ ଆଗତ କରିପାରନ୍ତି । ତେବେ ସମାନ ନାଗରିକ ସଂହିତାକୁ ନେଇ ସାଂସଦଙ୍କ ରାୟ ଜାଣିବା ପାଇଁ ଜୁଲାଇ ୩ ତାରିଖରେ ସଂସଦୀୟ ସ୍ଥାୟୀ କମିଟିର ବୈଠକ ଡକାଯାଇଛି ।