କନକ ବ୍ୟୁରୋ : ଡିଜିଟାଲ ଉପାୟରେ ଟଙ୍କା ନେଣଦେଣ ପ୍ରକ୍ରିୟା ଏବେ ସହଜ ହୋଇଗଲାଣି । ଏଣିକି ପକେଟରେ ଟଙ୍କା ରଖି ଲୋକେଙ୍କୁ କେଉଁଆଡେ ଯାତ୍ରା କରିବାକୁ ପଡୁନି କି ସାଙ୍ଗରେ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ମଧ୍ୟ ନେବାକୁ ପଡୁନି । ୟୁପିଆଇ ପେମେଣ୍ଟ୍ ସିଷ୍ଟମ ମାଧ୍ୟମରେ ଲୋକେ ଅତି ସହଜରେ ପେମେଣ୍ଟ କରିପାରୁଛନ୍ତି । କିନ୍ତୁ ୟୁପିଆଇ ପେମେଣ୍ଟ୍ କରିବା ଯେତିକି ସହଜ, ଏଥିରେ ସେତିକି ବିପଦ ମଧ୍ୟ ରହିଛି । ମୋବାଇଲ ନମ୍ବରରେ ଟଙ୍କା ଟ୍ରାନ୍ସଫର କରିବା ବେଳେ ଯଦି ମୋବାଇଲ୍ ନମ୍ବର ଟିକେ ବି ଭୁଲ ହୁଏ, ତେବେ ଟଙ୍କା ଅନ୍ୟ କାହା ପାଖକୁ ଚାଲିଯାଇଥାଏ । ଯଦି ଆପଣଙ୍କ ସହ କେବେ ଏପରି ଘଟେ ତେବେ ଆପଣ କଣ କରିବେ? ଟଙ୍କା ଫେରିପାଇବା ପାଇଁ କାହା ପାଖରେ ଅଭିଯୋଗ କରିବେ? ଆସନ୍ତୁ ଜାଣିବା...

Advertisment

ଗୁଗୁଲ ପେ, ଫୋନ ପେ ଏବଂ ପେଟିଏମ୍ ଭଳି ୟୁପିଆଇ ପ୍ଲାଟଫର୍ମରେ ଟଙ୍କା ଟ୍ରାନ୍ସଫର ବେଳେ ଯଦି ଭୁଲରେ ଟଙ୍କା ଆଉ କାହା ପାଖକୁ ଟଙ୍କା ଟ୍ରାନ୍ସଫର ହୋଇଯାଏ ତେବେ ତାକୁ ସିଧାସଳଖ ଫେରାଇ ଆଣିବା ପାଇଁ କୌଣସି ଉପାୟ ନାହିଁ । ଏଭଳି ପରିସ୍ଥିତିରେ କେବଳ ସେହି ବ୍ୟକ୍ତି ହିଁ ଆପଣଙ୍କ ଟଙ୍କାକୁ ଫେରାଇ ପାରିବ, ଯେଉଁ ବ୍ୟକ୍ତିଙ୍କ ପାଖକୁ ଭୁଲରେ ଟଙ୍କା ଟ୍ରାନ୍ସଫର ହୋଇଯାଇଥିବ । କିନ୍ତୁ ଆପଣ ଅଭିଯୋଗ କରି ଟଙ୍କା ଫେରି ପାଇପାରିବେ । ୟୁପିଆଇ ପେମେଣ୍ଟ ଆପ୍, ବ୍ୟାଙ୍କ ଏବଂ ଏନପିସିଆଇଙ୍କ ସହାୟତାରେ ଟଙ୍କା ଫେରି ପାଇପାରିବେ । ଆସନ୍ତୁ ଜାଣିବା କେମିତି ଅଭିଯୋଗ କରିବେ...

ଯଦି ଆପଣ ୟୁପିଆଇ ଜରିଆରେ ଭୁଲ ପେମେଣ୍ଟ କରିଦେଇଛନ୍ତି, ତାହେଲେ ସର୍ବ ପ୍ରଥମେ ସେହି ଟ୍ରାନ୍ଜାକସନର ଏକ ସ୍କ୍ରିନସଟ୍ ନିଅନ୍ତୁ । ଏହାପରେ ସେହି ଆପର ଆସିଷ୍ଟାଣ୍ଟ୍ ସେକସନକୁ ଯାଇ ଅଭିଯୋଗ କରନ୍ତୁ । ଏହି କାମ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ଏହାପରେ ଆପଣ ବ୍ୟାଙ୍କ ସହ ସମ୍ପର୍କ କରନ୍ତୁ, ଯେଉଁ ବ୍ୟାଙ୍କ ଖାତାରୁ ଟଙ୍କା ଟ୍ରାନ୍ସଫର ହୋଇଛି । ଏହା ପରେ ବ୍ୟାଙ୍କ ସହ ସମ୍ପର୍କ କରି ସମସ୍ତ ତଥ୍ୟ ଦିଅନ୍ତୁ । ବ୍ୟାଙ୍କ ସମସ୍ତ ତଥ୍ୟକୁ ଯାଞ୍ଚ କରିବା ପରେ ଆପଣଙ୍କ ସହାୟତା କରିଥାଏ । ଯଦି ୟୁପିଆଇ ଆପ୍ ଏବଂ ବ୍ୟାଙ୍କ ତରଫରୁ କୌଣସି ସହାୟତା ନମିଳେ ତାହେଲେ ଆପଣ ଦ୍ୱିତୀୟ ଉପାୟ ଆପଣାଇ ପାରିବେ ।

ୟୁପୁଆଇ ଜରିଆରେ ଭୁଲ ଖାତାରେ ଟଙ୍କା ଟ୍ରାନସଫର ହୋଇଥିଲେ ଆପଣ ଏନପିସିଆଇ ୱେବସାଇଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପାଇଁ ଏନପିସିଆ ୱେବସାଇଟର ‘ଡିସପୁଟ୍ ରିଡ୍ରେସାଲ୍ ମେକାନିଜିମ୍’ ଉପରେ କ୍ଲିକ୍ କରନ୍ତୁ । କ୍ଲିକ୍ କରିବା ମାତ୍ରେ ଆପଣଙ୍କୁ ଏକ ଫର୍ମ ଫିଲପ୍ କରିବା ପାଇଁ ଦିଆଯିବ । ଫର୍ମରେ ସମସ୍ତ ତଥ୍ୟ ଦେବା ସହ ବ୍ୟାଙ୍କ ଷ୍ଟେଟମେଣ୍ଟ୍ ଅପୋଲୋଡ୍ କରିବାକୁ ପଡିବ । ଅଭିଯୋଗ କରିବା ପରେ ଆପଣଙ୍କ ଟଙ୍କା ଫେରିଆସିବାର ସମ୍ଭାବନା ରହିଥାଏ ।