ଦଇବ ଦେଇଛି ଦାରଣ ଦୁଃଖ । କଷ୍ଟରେ ଜୀବନ ଜିଉଛନ୍ତି ବୈଜୟନ୍ତୀଙ୍କ ଦୁଇ ନନ୍ଦନ 

166

କନକ ବ୍ୟୁରୋ: ମୁଁ ଚାଲିପାରୁନି…ମୁଁ ମୋ ହାତ ଉଠାଇ ଖାଇ ପାରୁନି । କଅଁଳ କୁନିଓଠରେ କନ୍ଦେଇ ଦେଲା ଭଳି ଏ କଥା । ଆପଣଙ୍କ ଆଖିରେ ବି ପାଣି ନେଇଆସିବ । କେତେ ଅବା ବୟସ ହେବ? ଯେଉଁ ସମୟରେ ଗା ଦାଣ୍ଡରେ ଧୂଳି ମାଟି ଏକ୍ କରିଦେବା କଥା । ସେ ସମୟରେ ଏ କଅଁଳ ଦେହରେ ଦଇବ ଭରିଦେଇଛି ଦାରୁଣ ଦୁଃଖ ।

କେନ୍ଦ୍ରାପଡାର ସାରଦା ପ୍ରଶନ୍ନ କରଙ୍କ ଦୁଇ ପୁଅ ହେଲେ ତୁଷାର ଆଉ ହରପ୍ରସାଦ । ଦୁହେଁ ଦୀର୍ଘ ଦିନ ହେଲା ଏମିତି ଯନ୍ତ୍ରଣା ଭିତରେ ଜୀବନ ଜିଉଛନ୍ତି । ଖଟରେ ବସି ରହୁଛନ୍ତି, ମା ନିଜ ହାତରେ ଖୁଆଇଲେ ଖାଉଛନ୍ତି । ନା ଅନ୍ୟ ପିଲାମାନଙ୍କ ଭଳି ଖେଳି ବୁଲିପାରୁଛନ୍ତି, ନା ଇଚ୍ଛା ଥିଲେ ବି ସ୍କୁଲ,କଲେଜ ଯାଇ ପାଠ ପଢି ପାରୁଛନ୍ତି ।

ଡେରାବିସ ବ୍ଲକର ଗୋଲର ହାଟ ପଂଚାୟତ ଭିତରେ ଥିବା ଦୁମୁକା ଗାଁରେ ସାରଦା ପ୍ରଶନ୍ନଙ୍କ ଏହି ଦୁଃଖୀ ସଂସାର । ଘରେ ସ୍ତ୍ରୀ ବୈଜୟନ୍ତୀଙ୍କ ସହ ଦୁଇ ପୁଅଙ୍କୁ ନେଇ ତାଙ୍କ ସଂସାର ଚାଲେ । ହେଲେ ଏହି ଅଜଣା ରୋଗ ଏବେ ତାଙ୍କ ଦୁଇ ପୁଅକୁ ଅକର୍ମଣ୍ୟ କରିଦେଇଛି । ପିଲାଦିନେ ଅନ୍ୟମାନଙ୍କ ଭଳି ତୁଷାର ଆଉ ହର ଠିକ୍ ଭାବେ ଚାଲୁଥିଲେ ବୁଲୁଥିଲେ , ସ୍କୁଲ ବି ଯାଉଥିଲେ । ହେଲେ ଏଇ କିଛି ବର୍ଷ ହେଲା ସେମାନେ ଏହି ରୋଗରେ ପଡି ଏବେ ଏମିତି ଜୀବନ ବିତାଉଛନ୍ତି ।

ଦୁଇ ପୁଅଙ୍କୁ ଭଲ କରିବା ପାଇଁ ମା ବୈଜୟନ୍ତୀ ବହୁ ଆଡେ ଦେଖାଶୁଣା କରିସାରିଲେଣି । ହେଲେ ତେଲ ଲୁଣ ସଂସାର ଭିତରେ ପିଲାମାନଙ୍କ ଔଷଧ ଖର୍ଚ୍ଚ ଉଠାଇବା ଏବେ ବୈଜୟନ୍ତୀଙ୍କ ପାଇଁ ମୁସ୍କିଲ ହୋଇଯାଇଛି । ସ୍ୱାମୀ ରଙ୍ଗ କାମ କରି ଯାହା ଆଣୁଛନ୍ତି, ସେଥିରେ କେବଳ ପିଲାଙ୍କ ମୁହଁରେ ଦୁଇ ଓଳି ଦି ମୁଠା ଦାନା ହିଁ ହେଇପାରୁଛି । ତେଣୁ ଅଧିକ ଚିକିତ୍ସା କରିବେ କଣ, ଏବେ ଭାଗ୍ୟକୁ ଭରସା କରି ବଂଚୁଛନ୍ତି ବୈଜୟନ୍ତୀ ।

ବଡ ପୁଅ ତୁଷାର ଏମିତି ଅବସ୍ଥା ଭିତରେ ମାଟ୍ରିକ ପାସ କରିସାରିଛି । ଆଗକୁ କଲେଜ ଯାଇ ପାଠ ପଢିବାକୁ ବି ବହୁତ ଇଚ୍ଛା । ହେଲେ ଏମିତି ଅବସ୍ଥାରେ ପୁଅ କେମିତି ଭଲ ହେବ, ଆଉ କଲେଜ ଯାଇ ପାଠ ପଢିବ ତାକୁ ନେଇ ଚିନ୍ତାରେ ଉଭୟ ବାପା, ମା ।