କନକ ବ୍ୟୁରୋ: କରୋନା ଭାଇରସକୁ ନେଇ ସୋସିଆଲ ମିଡିଆରେ ଅନେକ ମିଛ ଖବର ଲଗାତର ଭାବରେ ସାମ୍ନାକୁ ଆସୁଛି । କିଛି ଦିନ ତଳେ ୟୁନିସେଫ୍ ନାଁରେ ଏକ ମିଛ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ କୁହାଯାଇଥିଲା କରୋନା କିଭଳି ବ୍ୟାପିବ ନାହିଁ ବା କିଭଳି ଏଥିରୁ ରକ୍ଷା ପାଇପାରିବେ । ଏପରିକି ୟୁନିସେଫ୍ ନାଁରେ ଏହି ଖବର ପ୍ରଚାର କରାଯାଉଥିଲା । ଭାଇରାଲ ମିଛ ଖବରରେ ତଥ୍ୟ ଥିଲା ବାୟୁରେ କରୋନା ଭାଇରସ ସଂକ୍ରମିତ ହୁଏନାହିଁ । ଖରା ସଂସ୍ପର୍ଶରେ ଆସିଲେ ଭୂତାଣୁ ମରିଯାଏ । ଭୂତାଣୁର ଆକାର ବଡ ହୋଇଥିବାରୁ ଏହାକୁ ସାଧାରଣ ମାସ୍କରେ ରୋକାଯାଇପାରିବ । ଗରମପାଣିରେ ଗାରଗିଲିଂ କଲେ ଗଳାର ଭୂତାଣୁ ମରିଯିବ ।
ତେବେ ମୋବାଇଲରୁ ମୋବାଇଲକୁ ଏହି ତଥ୍ୟ ଘୁରି ବୁଲିଥିଲା । ଯାହା କି ପରେ ମିଛ ବୋଲି ଜଣାପଡିଥିଲା । ଗତ ମାର୍ଚ ୬ ତାରିଖରେ କନକନ୍ୟୁଜରେ ମଧ୍ୟ ଏହି ତଥ୍ୟ ପ୍ରକାଶ ପାଇଥିଲା । କିନ୍ତୁ ଏହାର କିଛି ଦିନ ପରେ ୟୁନିସେଫ୍ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଭାଇରାଲ ହେଉଥିବା ସମସ୍ତ ଖବର ମିଛ । ଏଭଳି କିଛି ତଥ୍ୟ ୟୁନିସେଫ୍ ପକ୍ଷରୁ ଦିଆଯାଇନାହିଁ । ବିଶେଷଜ୍ଞଙ୍କ କହିବା ଅନୁସାରେ କରୋନା ମୁକାବିଲା ନେଇ ଯେଉଁ ସବୁ ବାର୍ତା ଭାଇରାଲ୍ ହେଉଛି ତାହା ବାସ୍ତବତା ଉପରେ ଆଧାରିତ ନୁହଁ । ୟୁନିସେଫ୍ ପକ୍ଷରୁ ଦିଆଯାଇଥିବା ସର୍ତକତାମୂଳକ ପଦକ୍ଷେପ ଅନୁସାରେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ପଦକ୍ଷେପ ନେବାକୁ କୁହାଯାଇଛି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି କେବଳ କରୋନା ସଂକ୍ରମିତ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ମାସ୍କ ଜରୁରୀ । କରୋନା ସଂକ୍ରମଣ ହୋଇନଥିଲେ କିଂବା ରୋଗୀଙ୍କ ସଂସ୍ପର୍ଶରେ ଆସୁନଥିଲେ ମାସ୍କ ବ୍ୟବହାର କରିବା ଅର୍ଥ ଆପଣ ଗୋଟିଏ ମାସ୍କ ନଷ୍ଟ କରୁଛନ୍ତି । ସେହିପରି ବାରମ୍ୱାର ପାଣି ଓ ସାବୁନରେ ହାତ ଧୋଇବା ପାଇଁ ୟୁନିସେଫ ପକ୍ଷରୁ ପରାମର୍ଶ ଦିଆଯାଇଛି । ପାଣି ଓ ସାବୁନ ଉପଲବ୍ଧ ନଥିଲେ ଆଲକୋହଲ ଯୁକ୍ତ ସାନିଟାଇଜରରେ ହାତ ସଫା କରିବାକୁ କୁହାଯାଇଛି । କିନ୍ତୁ ଏହି ସାନିଟାଇଜରରେ ଅନ୍ୟୁନ ଷାଠିଏ ପ୍ରତିଶତ ଆଲକୋହଲ ଥିବା ଦରକାର । ଖାଇବା ଆଗରୁ ହାତ ଭଲ ଭାବେ ଧୋଇବାକୁ କୁହାଯାଇଛି । ଏପରିକି ହାତର ପଛ ପଟ ଅଙ୍ଗୁଠି ସନ୍ଦି ନଖତଳ ମଧ୍ୟ ୨୦ ସେକେଣ୍ଡ ଧରି ସଫା କରିବାକୁ ପରାମର୍ଶ ଦିଆଯାଇଛି ।