ବିଶ୍ୱର ଜନସଂଖ୍ୟା ୮ ଶହ କୋଟି ପାର, କେମିତି ହେଲା ଜନଗଣନା ପ୍ରକ୍ରିୟା ଜାଣନ୍ତୁ

118

କନକ ବ୍ୟୁରୋ: ସାରା ବିଶ୍ୱର ଜନସଂଖ୍ୟା ୮ ଅରବ ଅର୍ଥାତ ୮ ଶହ କୋଟି ପାର କରିଛି । ଏନେଇ ନିକଟରେ ମିଳିତ ଜାତିସଂଘର ରିପୋର୍ଟରୁ ସ୍ପଷ୍ଟ ହୋଇଛି । ରିପୋର୍ଟରେ କୁହାଯାଇଛି ୨୦୩୦ ସୁଦ୍ଧା ବିଶ୍ୱର ଜନସଂଖ୍ୟା ୮୫୦ କୋଟି ଛୁଇଁବ । ୨୫୦ ସୁଦ୍ଧା ୯୭୦କୋଟି ହୋଇଯିବ । ତେବେ ପ୍ରଶ୍ନ ଉଠୁଛି ଦୁନିଆର ଜନସଂଖ୍ୟା ୮ ଶହ କୋଟି ପାର କରିଛି, କେମିତି ଜଣାପଡିଲା ଯେ ଏହା ୮ ଶହ କୋଟିରେ ପହଞ୍ଚିଛି?

ସାରା ବିଶ୍ୱର ଜନସଂଖ୍ୟାର ତଥ୍ୟ ମିଳିତ ଜାତିସଂଘ ପ୍ରଦାନ କରିଥାଏ । ମିଳିତ ଜାତିସଂଘର ୟୁନାଇଟେଡ୍ ନେସନ ପପୁଲେସନ ଫଣ୍ଡ ଏହି ସଂଖ୍ୟାକୁ ସାର୍ବଜନୀନ କରିଥାଏ । ତେବେ ଏହି ସଂସ୍ଥା କେଉଁ ଆଧାରରେ ଜନସଂଖ୍ୟା ଜାରି କରିଥାଏ ତାହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହି ସଂସ୍ଥା ଜନସଂଖ୍ୟାର ତଥ୍ୟ ପ୍ରଦାନ ପାଇଁ ସାରା ଦେଶର ଜନସଂଖ୍ୟାର ତଥ୍ୟକୁ ଏକତ୍ରିତ କରିଥାଏ । ଏହି ସଂଖ୍ୟା ଜରିଆରେ ଏକ ଆନୁମାନିକ ରିପୋର୍ଟ ପ୍ରଦାନ କରାଯାଇଥାଏ । ତେବେ ସଂଖ୍ୟା ହିସାବ ପଛରେ ୩ଟି କଥା ସାମିଲ ରହିଛି । ଏହି ୩ଟି ତଥ୍ୟ ସ୍ପଷ୍ଟ କରିଥାଏ ଯେ, ସାରା ବିଶ୍ୱରେ ଜନସଂଖ୍ୟା କେତେ ଏବଂ ଆଗକୁ କେଉଁ ସମୟ ପର୍ଯ୍ୟନ୍ତ ଏହା କେଉଁ ସ୍ତରରେ ପହଞ୍ଚିପାରିବ ।

ଜନସଂଖ୍ୟା ହିସାବ ପାଇଁ ତିନୋଟି ତଥ୍ୟକୁ ଗୁରୁତ୍ୱ ଦିଆଯାଇଥାଏ । ପ୍ରଥମଟି ହେଇଛି ଜନ୍ମ ହାର, ଦ୍ୱିତୀୟଟି ମୃତ୍ୟୁହାର ଏବଂ ଶେଷରେ ମାଇଗ୍ରେସନ ବା ଗୋଟିଏ ଦେଶ ଛାଡି ଅନ୍ୟ ଦେଶକୁ ଯାଉଥିବା ଲୋକଙ୍କ ସଂଖ୍ୟା । ଏହା ଜରିଆରେ ଗଣତି ହୋଇଥାଏ ଯେ କେଉଁ ଦେଶର ଜନସଂଖ୍ୟା କେତେ । ଏହା ଛଡା ମଧ୍ୟ ଜନ୍ମ ଦର ତୁଳନାରେ ମୃତ୍ୟୁ ହାର ବଢିଛି ନା ନାହିଁ । ଗୋଟିଏ ଦେଶ ଛାଡି ଲୋକେ ଅନ୍ୟ ଦେଶକୁ ଯାଉଛନ୍ତି ନା ନାହିଁ । ଏହା କରିବା ପରେ ସେହି ଦେଶର ସଂଖ୍ୟା ସାମ୍ନାକୁ ଆସିଥାଏ ।

ଜନସଂଖ୍ୟା ବଢିବା ପଛରେ କାରଣ ମଧ୍ୟ ରହିଛି । ରିପୋର୍ଟ ଅନୁସାରେ ୧୯୫୦ ମସିହାରେ ଜଣେ ମହିଳା ୫ଟି ଶିଶୁଙ୍କୁ ଜନ୍ମ ଦେଉଥିଲେ । ୨୦୨୨ରେ ଏହି ସଂଖ୍ୟାର ହାର ୨.୩ ପ୍ରତିଶତରେ ପହଞ୍ଚିଛି । ଜନ୍ମ ହାର କମିଯାଇଥିବା ବେଳେ ଲୋକଙ୍କ ବଞ୍ଚିବା ହାର ବୃଦ୍ଧି ପାଇବାରେ ଲାଗିଛି । ଫୋବର୍ସର ରିପୋର୍ଟ ଅନୁସାରେ ଜଣେ ସାଧାରଣ ମଣିଷ ପାଖପାଖି ୭୮.୮ ବର୍ଷ ବଞ୍ଚିଥାଏ । ଗତ ୨ ଶହ ବର୍ଷ ଧରି ଲୋକଙ୍କ ବଞ୍ଚିବା କାଳ ବଢିବାରେ ଲାଗିଛି ।

ସେହିଭଳି ମାଇଗ୍ରେସନ ବା ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବା କଥା ଯଦି ଦେଖିବା ମିଳିତ ଜାତିସଂଘର ରିପୋର୍ଟ ଅନୁସାରେ ଅଧିକ ଆୟକରୁଥିବା ଦେଶରେ ଏହା ଅଧିକ ରହିଛି । ପ୍ରବାସୀଙ୍କ କାରଣରୁ ସେଠାକାର ଜନସଂଖ୍ୟା ବଢିବାରେ ଲାଗିଛି । ୧୯୮୦ରୁ ୨ ହଜାର ମଧ୍ୟରେ ୧୦.୪ କୋଟି ଜନସଂଖ୍ୟା ବଢିବାର ମୁଖ୍ୟକାରଣ ଏହି ମାଇଗ୍ରେସନ । ସେହିଭଳି ଗତ ୨୦ ବର୍ଷରେ ଏହି ଦେଶରେ ମାଇଗ୍ରେସନ କାରଣରୁ ଜନସଂଖ୍ୟା ୮ କୋଟି ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

ବିଶ୍ୱର ଜନସଂଖ୍ୟା ଗତ ୧୨ ବର୍ଷ ମଧ୍ୟରେ ୭ରୁ ୮ ଅରବ ପହଞ୍ଚିଛି । ଅର୍ଥାତ ୭ ଶହ କୋଟିରୁ ୮ ଶହ କୋଟିରେ ପହଞ୍ଚିଛି । ଏହିଆଧାରରେ ଅନୁମାନ କରାଯାଉଛି ଯେ ୨୦୩୭ ଅର୍ଥାତ ଆଗାମୀ ୧୫ ବର୍ଷରେ ଜନସଂଖ୍ୟା ୯ ଶହ କୋଟି ଛୁଇଁବ । ମିଳିତ ଜାତିସଂଘର ରିପୋର୍ଟ କହୁଛି ଯେ ୨୦୫୦ ଯାଏ ଆଠ ଦେଶରେ ସବୁଠାରୁ ଅଧିକ ଜନସଂଖ୍ୟା ବୃଦ୍ଧି ଘଟିବ । ଏହି ସବୁ ଦେଶ ହେଉଛନ୍ତି କଙ୍ଗୋ, ମିଶର, ଇଥିଓପିଆ, ଭାରତ, ନାଇଜେରିଆ. ପାକିସ୍ତାନ, ତାଞ୍ଜାନିଆ ଏବଂ ଫିଲିପାଇନ୍ସ ।