ମାତ୍ର ଜଣେ ଶିକ୍ଷକରେ ଚାଲିଛି ବିଦ୍ୟାଳୟ । ଶିକ୍ଷକ ନଆସିଲେ ପାଠ ପଢା ବନ୍ଦ ।

327

କନକ ବ୍ୟୁରୋ : ମାତ୍ର ଜଣେ ଶିକ୍ଷକରେ ଚାଲିଛି ବିଦ୍ୟାଳୟ । ଶିକ୍ଷକ ନଆସିଲେ ପାଠ ପଢା ବନ୍ଦ । କେବଳ ଏତିକି ନୁହଁ ଅଯୋଗ୍ୟ ଶିକ୍ଷକଙ୍କ କାନ୍ଧରେ ହଜାର ହଜାର ଛାତ୍ର୍ରଛାତ୍ରୀଙ୍କ ଭବିଷ୍ୟତକୁ ଟେକିଦିଆଯାଇଛି । ଭାରତର ଶିକ୍ଷା ବ୍ୟବସ୍ଥା ଉପରେ ସର୍ଭେ କରିଥିବା ୟୁନେସ୍କୋର ରିପୋର୍ଟରେ ଆସିଛି ଏଭଳି ସାଂଘାତିକ ତଥ୍ୟ । ଗ୍ରାଉଣ୍ଡ ଜିରୋରୁ ସତ୍ୟର ସନ୍ଧାନ କରିଛି କନକ ନ୍ୟୁଜ ।

ଶିକ୍ଷକ ନିଯୁକ୍ତି ଦାବିରେ ବାଲେଶ୍ୱର ବସ୍ତା ବ୍ଲକ ନାବରା ଶମ୍ଭୁନାଥ ବିଦ୍ୟାପୀଠ ସମ୍ମୁଖରେ ଏମିତି ପ୍ରତିବାଦ କରିଛନ୍ତି ଛାତ୍ରଛାତ୍ରୀ । ବିଦ୍ୟାଳୟର ଅଷ୍ଟମ, ନବମ ଓ ଦଶମରେ ଶହେରୁ ଅଧିକ ପିଲା ପାଠପଢ଼ୁଥିଲେ ବି ଅଛନ୍ତି ମାତ୍ର ଜଣେ ଶିକ୍ଷକ । ଗତ ୪ ବର୍ଷ ହେଲା ସ୍କୁଲର ସ୍ଥିତି ଏମିତି । ଛାତ୍ର ଶିକ୍ଷକଙ୍କ ଅନୁପାତରୁ ସ୍ପଷ୍ଟ ହେଉଛି ଏହି ବିଦ୍ୟାଳୟରେ କେମିତି ହେଉଥିବ ପାଠପଢ଼ା । ଯାହାର ପ୍ରତିବାଦ କରି ଅଧିକ ଶିକ୍ଷକ ନିଯୁକ୍ତି ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ ।

ରାଜ୍ୟରେ ଦୋହଲିପଡିଥିବା ଶିକ୍ଷା ବ୍ୟବସ୍ଥାର ଏହା ମାତ୍ର ଗୋଟିଏ ଉଦାହରଣ । ଭାରତର ଶିକ୍ଷା ବ୍ୟବସ୍ଥା ଉପରେ ସର୍ଭେ କରିଥିବା ୟୁନେସ୍କୋ ରିପୋର୍ଟରୁ ଆସିଛି ଅନେକ ସାଂଘାତିକ ତଥ୍ୟ । ଓଡିଶାର ୬୮ ହଜାର ୭୧୭ ବିଦ୍ୟାଳୟରୁ ୩ ହଜାର ୧୯୭ ବିଦ୍ୟାଳୟରେ ମାତ୍ର ଜଣେ ଶିକ୍ଷକ ଅଛନ୍ତି । ସେହିପରି ପ୍ରି ପ୍ରାଇମେରୀ ୨.୮୬%, ପ୍ରାଥମିକରେ ୩.୪୬%, ଉଚ୍ଚ ପ୍ରାଥମିକ ସ୍କୁଲରେ ୧.୬୧%, ମାଧ୍ୟମିକରେ ୦.୪୫% ଓ ଉଚ୍ଚ ମାଧ୍ୟମିକରେ ୦.୩୪% ଅଯୋଗ୍ୟ ଶିକ୍ଷକ ପାଠ ପଢାଉଥିବା ୟୁନେସ୍କୋ ରିପୋର୍ଟରେ ପ୍ରକାଶ ପାଇଛି । ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେବାକୁ ବିଶେଷଜ୍ଞ ୟୁକ୍ତି ବାଢିଛନ୍ତି । ତେବେ ଏଥିପ୍ରତି ଗୁରୁତ୍ୱ ଦିଆଯାଉଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

ପୂର୍ବରୁ ଛାତ୍ରଛାତ୍ରୀ ନଥିବା ଦର୍ଶାଇ ରାଜ୍ୟ ସରକାର ଅନେକ ବିଦ୍ୟାଳୟ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଶିକ୍ଷକ ନଥିବା ବିଦ୍ୟାଳୟକୁ ପିଲା କେମିତି ଆସିବେ ଓ ଆସିଲେ କେମିତି ପାଠପଢ଼ିବେ ସେ ନେଇ ଗଣଶିକ୍ଷା ବିଭାଗ ଚିନ୍ତା କରିବା ଜରୁରୀ ।