କନକ ବ୍ୟୁରୋ: ବିଜୁ ପଟ୍ଟନାୟକଙ୍କ ସ୍ୱପ୍ନ ଅଧାରେ ରହିଯିବ କି? ୟୁନେସ୍କୋ କଳିଙ୍ଗ ପୁରସ୍କାରରେ ଲାଗିପାରେ ରୋକ୍। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଅଧିକ ଲୋକପ୍ରିୟ କରାଇଥିବା ବ୍ୟକ୍ତିଙ୍କୁ ସମ୍ମାନ ଦେବା ପାଇଁ ଆରମ୍ଭ ହୋଇଥିଲା ୟୁନେସ୍କୋ କଳିଙ୍ଗ ପୁରସ୍କାର। ଏହାର ମଙ୍ଗ ଧରିଥିଲେ ବିଜୁ ପଟ୍ଟନାୟକ। ପରବର୍ତ୍ତୀ ସମୟରେ ସହଯୋଗର ହାତ ବଢାଇଥିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। କିନ୍ତୁ ଏଣିକି ଆଉ ଆର୍ଥିକ ସହଯୋଗ କରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର।
୧୯୫୨ରୁ ୨୦୨୩ । ଲୁଇ ଡେ ବ୍ରୋଗଲିରୁ ଆନା ମାରିଆ ସାଟୋ । ଏମିତି ୭୨ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିଛି ୟୁନେସ୍କୋ କଳିଙ୍ଗ ପୁରସ୍କାର। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକୁ ଅଧିକ ଲୋକପ୍ରିୟ କରିବା ଦିଗରେ ଉଲ୍ଲେଖନୀୟ ଅବଦାନଙ୍କୁ ସ୍ୱୀକୃତି ସ୍ୱରୂପ ଅନ୍ତର୍ଜାତୀୟ ସ୍ତରରେ ୟୁନେସ୍କୋ କଳିଙ୍ଗ ପୁରସ୍କାର ପ୍ରଦାନ କରାଯାଉଛି। କିନ୍ତୁ ଏବେ ଆଶା ,ଆଶଙ୍କାରେ ୟୁନେସ୍କୋ କଳିଙ୍ଗ ପୁରସ୍କାର। ଆସନ୍ତା ବର୍ଷ ହେବାକୁ ଥିବା ଏହି ପୁରସ୍କାର ଉତ୍ସବ ଏବେ ଅନିଶ୍ଚିତତା ଭିତରେ। ୟୁନେସ୍କୋ କଳିଙ୍ଗ ପୁରସ୍କାର ପାଇଁ ଆର୍ଥିକ ସହଯୋଗ କରିଆସୁଥିବା କେନ୍ଦ୍ର ସରକାର ଆଉ ସହଯୋଗ କରିବନି ବୋଲି ସ୍ପଷ୍ଟ କରିଦେଇଛନ୍ତି। ଏନେଇ ମନ୍ତ୍ରଣାଳୟ ପକ୍ଷରୁ ମିଳିଛି ସୂଚନା।
ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରୟାସରେ ୧୯୫୨ମସିହାରେ ଆରମ୍ଭ ହୋଇଥିଲା ୟୁନେସ୍କୋ କଳିଙ୍ଗ ପୁରସ୍କାର। କଳିଙ୍ଗ ଫାଉଣ୍ଡେସନ ସହ ସମନ୍ୱୟ ରକ୍ଷା ପୁର୍ବକ ୟୁନେସ୍କୋ ବିଶ୍ୱସ୍ତରୀୟ ବିଶେଷଜ୍ଞମାନଙ୍କଦ୍ୱାରା ମନୋନୀତ ବୈଜ୍ଞାନିକଙ୍କୁ ଏହି ମର୍ୟ୍ୟାଦାପୂର୍ଣ୍ଣ ପୁରସ୍କାର ପ୍ରଦାନ କରିଥାଏ । ପ୍ରଥମରୁ କଳିଙ୍ଗ ପୁରସ୍କାର ଭାବେ ପରିଚିତ ଏହି ପୁରସ୍କାରକୁ ୨୦୦୯ରେ ୟୁନେସ୍କୋ କଳିଙ୍ଗ ପୁରସ୍କାର ଭାବେ ନାମିତ କରାଯାଇଛି । ପୁରସ୍କାର ରାଶି ବାବଦକୁ ପାଖାପାଖି ଏକ କୋଟି ଟଙ୍କା ଦିଆଯାଉଛି। ସେଥିରେ ୬ ଭାଗ କେନ୍ଦ୍ର ସରକାର ପ୍ରଦାନ କରୁଥିବାବେଳେ ରାଜ୍ୟ ସରକାର ୪ ଓ କଳିଙ୍ଗ ଫାଉଣ୍ଡେସନ ଟ୍ରଷ୍ଟ ୪ ଭାଗ ଦେଉଥିଲେ। କିନ୍ତୁ କେନ୍ଦ୍ର ସରକାର ଆଗକୁ ଆଉ ଆର୍ଥିକ ସହଯୋଗ କରିବେ ନାହିଁ ବୋଲି କହିବା ପରେ ଏ ପୁରସ୍କାରୋର ପୂର୍ଣ୍ଣଚ୍ଛେଦ ପଡିବାର ଆଶଙ୍କା ସୃଷ୍ଟି ହୋଇଛି ।
Follow Us