ବିଧାନସଭାରେ ଉଠିଲା ବେକାରୀ ତାତି ! ବିରୋଧୀ କହିଲେ, ସଜାଗ ହେଉନାହାନ୍ତି ସରକାର, ଆଗକୁ ନିଯୁକ୍ତି ସୁଯୋଗ ସୃଷ୍ଟି ନକଲେ ବେକାରୀ କରିବେ ବଡ଼ ବିଦ୍ରୋହ

313

କନକ ବ୍ୟୁରୋ: ଦିନକୁ ଦିନ ରାଜ୍ୟରେ ବେକାରୀ ସ୍ଥିତି ଜଟିଳ ହେବାରେ ଲାଗିଛି । ଏକଥା ଆମେ କହୁନୁ ବରଂ ବିଧାନସଭାରେ ଏନେଇ ତାତି ଉଠିଛି । ରାଜ୍ୟରେ ବେକାରୀ  ସମସ୍ୟା ନେଇ ମୁଲତବୀ  ପ୍ରସ୍ତାବ ଉପରେ ବିଧାନସଭାରେ  ଆଲୋଚନା ଆରମ୍ଭ ହୋଇଛି । ଏଥିରେ ଭାଗ ନେଇ ସଦସ୍ୟମାନେ ରାଜ୍ୟରେ ବେକାରୀ ସଂକଟ ଉକ୍ରଟ ବୋଲି କହିଛନ୍ତି । ବିଜେପି ଓ କଂଗ୍ରେସ ସଦସ୍ୟମାନେ ସରକାରଙ୍କୁ ନିଯୁକ୍ତି ଚିନ୍ତା ନଥିବା ଅଭିଯୋଗ ଆଣି ଟାର୍ଗେଟ କରିଛନ୍ତି ।

ଗୋଟିଏ ପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଗୃହରେ କହିଛନ୍ତି, ଇକୋନୋମିକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି ଯେ, ରାଜ୍ୟରେ ନିଯୁକ୍ତି ହାର କମିଛି । ରାଜ୍ୟରେ ୮୫ ଲକ୍ଷ ଲୋକଙ୍କୁ ନିଯୁକ୍ତି ନାହିଁ । ବିଭିନ୍ନ ସରକାରୀ ବିଭାଗରେ ମଞ୍ଜୁରୀପ୍ରାପ୍ତ ପଦବୀ ତୁଳନାରେ ଵହୁ ପଦବୀ ଖାଲି ପଡିଛି। ୫ ଲକ୍ଷ ୮୩ ହଜାର ସରକାରୀ ମଞ୍ଜୁରୀପ୍ରାପ୍ତ ପଦଵୀରୁ ୧ ଲକ୍ଷ ୩୧ ହଜାର ୫୧୮ ପଦବୀ ପୂରଣ କରିବାରେ ସରକାରଙ୍କ ଆନ୍ତରିକତା ନାହିଁ । ଏପରିକି  ରୋଜଗାରରେ ସାମିଲ ନହୋଇ ଯୁବକମାନେ ଅପରାଧରେ ସାମିଲ ହେଉଛନ୍ତି । ଆଗକୁ ଯୁବକମାନେ ବେକାରୀ ନେଇ ବଡ଼ ବିଦ୍ରୋହ କରିବେ । କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର ବାଧ୍ୟ ହୋଇ ଵାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେବେ ବୋଲି ଗୃହରେ ବିବୃତି ରଖିଛନ୍ତି ନରସିଂହ ।

ଅନ୍ୟପଟେ ରାଜ୍ୟରେ କୁଶଳୀ ଯୁବକ ଯୁଵତୀଙ୍କ ଅଭାବ ନାହିଁ । ଦାଦନ ଅଵସ୍ଥା ଅତି ବିଭତ୍ସ ଓ ଭୟଙ୍କର। ଏନ ଏସ ଏସ ରିପୋର୍ଟ କହୁଛି, ଟାଟା ଟ୍ରଷ୍ଟ ସହ ସରକାର ଏମ ଓୟୁ କରିଥିଲେ। ୨ ଟି  ଜିଲ୍ଲାର ୩୦ ପଞ୍ଚାୟତକୁ ପୋଷ୍ୟ ଭାବେ ଗ୍ରହଣ କରି ଉନ୍ନତି ସହ ନିଯୁକ୍ତି ସୁଯୋଗ ଦେଵ। କିନ୍ତୁ ୨୦୦୭-୦୮ ରେ ୧ କୋଟି ୧୪ ଲକ୍ଷ ଦାଦନ ଶ୍ରମିକ ଓଡ଼ିଶାର । ଏଥିରୁ ୧ କୋଟି ୪ ଲକ୍ଷ ରାଜ୍ୟ ଭିତରେ ଅନ୍ୟ ଜିଲ୍ଲାରେ ଖଟୁଥିବା ବେଳେ ୧୦ ଲକ୍ଷ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ୩୫ ଲକ୍ଷ ୪ ହଜାର ଯୁଵକଯୁଵତୀ ନିୟୋଜନ କାର୍ଯ୍ୟାଳୟରେ ପଞ୍ଜିକୃତ ହୋଇଥିବା ବେଳେ ମାତ୍ର  ୪୫ ହଜାର ୭୮୩ ନିଯୁକ୍ତି ପାଇଛନ୍ତି । ଯାହାର ହାର ମାତ୍ର ୧.୩ ପ୍ରତିଶତ । ୧୭ ବର୍ଷ ହେଲା ଭଦ୍ରକ, ଗଞ୍ଜାମ ଓ ବୌଦ୍ଧ ରେ ନିଯୁକ୍ତି ହାର ଅତି ନଗଣ୍ୟ। ତିନି ଜିଲ୍ଲାରେ ମାତ୍ର ୫୦ ଜଣ ନିଯୁକ୍ତି ପାଇଛନ୍ତି  । ଯଦି ଏଭଳି ସ୍ଥିତି ଲାଗି ରୁହେ ତେବେ ଆଗକୁ ଓଡ଼ିଶାରେ ବେକାରୀ ବିଦ୍ରୋହ କରିବେ ବୋଲି କହିଛନ୍ତି ବିରୋଧୀ ଦଳ ନେତା ।